ସଲମାନ ଖାନଙ୍କ ପରବର୍ତ୍ତୀ ଫିଲ୍ମ 'ବ୍ୟାଟଲ୍ ଅଫ୍ ଗାଲୱାନ'ର ପ୍ରଥମ ମୋସନ୍ ପୋଷ୍ଟର ରିଲିଜ୍ ହୋଇଛି। ଏହାର କାହାଣୀ ୨୦୨୦ ରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ ହେବ। ତେବେ ସଲମାନ ଏଥିରେ ଜଣେ ସେନା ଅଧିକାରୀ ଭୂମିକାରେ ନଜର ଆସିଛନ୍ତି। ଆଖିରେ କ୍ରୋଧ, ମୁହଁରେ ରକ୍ତ ଏବଂ ହାତରେ ଏକ ଅସ୍ତ୍ର ସହିତ, ସଲମାନ ଖାନ ବହୁତ ଡ୍ୟାସିଂ ଦେଖାଯାଉଛନ୍ତି। ଏହି ମୋସନ୍ ପୋଷ୍ଟରରେ ସଲମାନ ଖାନ ହାତରେ କଣ୍ଟା ତାରରେ ବନ୍ଧା ହୋଇଥିବା ଦେଖାଯାଉଛି। ପୋଷ୍ଟର ଦେଖି ସଲମାନଙ୍କ ଫ୍ୟାନ୍ସ ମାନେ ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି।
'ବ୍ୟାଟଲ୍ ଅଫ୍ ଗାଲୱାନ'ର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଭାଇଜାନ ସଲମାନ ଖାନ। ଏହି ଫିଲ୍ମଟି ଅପୂର୍ବ ଲାଖିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଫିଲ୍ମର ସଙ୍ଗୀତ ଦାୟିତ୍ୱ ହିମେଶ ରେଶମିଆ ନେଇଥିବା ବେଳେ ସଲମାନ ଖାନଙ୍କ ବ୍ୟତୀତ ଅଙ୍କୁର ଭାଟିଆ ଏବଂ ହର୍ଷିଲ ଶାହ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଫିଲ୍ମର ପୋଷ୍ଟର ରିଲିଜ୍ ହେବା ମାତ୍ରେ ସଲମାନ ଖାନଙ୍କ ପ୍ରଶଂସକମାନେ ଫିଲ୍ମର ଭୁରି ଭୁରି ପ୍ରଶଂସା କରିଛନ୍ତି।
୧୫-୧୬ ଜୁନ୍ ୨୦୨୦ ରାତିରେ ଗାଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ୨୦ ଜଣ ଭାରତୀୟ ସେନା ସୈନିକ ସହିଦ ହୋଇଥିଲେ। ଏହି ଘଟଣାରେ ଚୀନ୍ ଦ୍ୱାରା ନିହତ ସୈନିକଙ୍କ ସଂଖ୍ୟା ୪ ଥିଲା କିନ୍ତୁ କିଛି ରିପୋର୍ଟରେ ଦାବି କରାଯାଇଛି ଯେ ୪୦ ରୁ ଅଧିକ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଚୀନ୍ ଭାରତୀୟ ସେନା ଦ୍ୱାରା ଏକ ସେତୁ ନିର୍ମାଣକୁ ବିରୋଧ କରିଥିଲା। ତେଣୁ ଏହି କାହାଣୀରେ କଣ ଥିଲା ସତ୍ୟତା ତାହାକୁ ନେଇ ଆସୁଛି ଚଳଚିତ୍ର 'ବ୍ୟାଟଲ୍ ଅଫ୍ ଗାଲୱାନ'।