ନୂଆଦିଲ୍ଲୀ: ବହୁ ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଛେଦ । ଖୁବଶୀଘ୍ର ହାତକୁ ଦିହାତ ହେବେ ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ବାନ୍ଧବୀ ଜାଗୃତି ଶୁକ୍ଳା । ଶୁକ୍ରବାର ରାଜ୍ୟ ବାହାରର କେଉଁ ଏକ ସ୍ଥାନରେ ଉଭୟ ନିର୍ବନ୍ଧ ସରିଥିବା ବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଉଭୟ କେଉଁ ତାରିଖରେ ବିବାହ କରିବେ ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁସାରେ ଶୁକ୍ରବାର ଉଭୟଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି । ଆସନ୍ତା୧୧ ତାରିଖରେ ଅନୁଭବ ଓ ଜାଗୃତି ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି । ଉଭୟ ପରିବାର ଓ କିଛି ଖାସ୍ ଅତିଥିଙ୍କ ସହ ଓଡିଶା ବାହାରେ ବିବାହ କରୁଥିବା ବିଶେଷ ସୂତ୍ରୁ ପ୍ରକାଶ । ଉଭୟଙ୍କ ନିର୍ବନ୍ଧ ସଂପନ୍ନ ପରେ ବହୁ ଦିନ ଚର୍ଚ୍ଚାର ଅନ୍ତ ଘଟିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ପରେ ଜାଗୃତିଙ୍କୁ ଅନୁଭବ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ।
ଉଭୟଙ୍କ ନିର୍ବନ୍ଧ ବେଳର ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସବୁଠୂ ବଡ କଥା ଅନୁଭବ ଓ ଜାଗୃତିଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ଦୁହେଁ ପରସ୍ପରକୁ ଭଲ ପାଉଥିବା ଏବଂ ବିବାହ କରିବାକୁ ଯାଉଥିବା ଅନେକ ବର୍ଷ ଧରି ଚର୍ଚ୍ଚା ଚାଲିଥିଲା । ବର୍ଷାଙ୍କ ସହ ଛାଡପତ୍ର ପରେ ଉଭୟଙ୍କ ନୂତନ ଇନିଂସ ଆରମ୍ଭ ହେବାକୁ ଯାଉଛି ।
ସୂଚନାଯୋଗ୍ୟ, ଅନୁଭବ ସାଂସଦ ଥିବା ସମୟରେ ସାମ୍ବାଦିକ ଓ ଲେଖିକା ଜାଗୃତି ଶୁକ୍ଳାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି କହି ଆସୁଥିଲେ । ଅନୁଭବଙ୍କ ସୁଖ ଦୁଃଖ ସମୟରେ ଜାଗୃତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସମର୍ଥନ ମଧ୍ୟ ଜଣାଇ ଆସୁଥିଲେ । ଗୋଟିଏ ପଟେ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ଏବଂ ସେପଟେ ଜାଗୃତିଙ୍କ ସହ ଅନୁଭବଙ୍କ ସଂପର୍କକୁ ନେଇ ଓଡିଶାରେ ଖୁବ୍ ଚର୍ଚ୍ଚା ଚାଲିଥିଲା । ଏବେ ଉଭୟ ରାଜସ୍ଥାନରେ ବିବାହ କରିବେ ବୋଲି କୁହାଯାଉଛି । ତେବେ ଏହାର ଆନୁଷ୍ଠାନିକ ଘୋଷଣା କେବେ ହେଉଛି ତାହା ଦେଖିବାକୁ ବାକି ରହିଲା ।