ହାଇଦ୍ରାବାଦ୍: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨' ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ବକ୍ସ ଅଫିସରେ ବହୁତ ଭଲ ରେସପନ୍ସ ମିଳୁଛି। ସେପଟେ ଅଲ୍ଲୁ ଅର୍ଜୁନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି। ହାଇଦ୍ରାବାଦରେ ଫିଲ୍ମ 'ପୁଷ୍ପା-୨'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଅଲ୍ଲୁ ଅର୍ଜୁନଙ୍କ ସମସ୍ତ ପ୍ରଶଂସକ ଏକାଠି ହୋଇଥିଲେ ଏବଂ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏବେ ଅଭିନେତା ଏକ ଭିଡିଓ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ମୃତକଙ୍କ ପରିବାରକୁ ଭେଟିବେ। ଏହା ସହ ପରିବାରକୁ ସାହାଯ୍ୟ କରିବା ପାଇଁ ୨୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।
ଅଲ୍ଲୁ ଅର୍ଜୁନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ମହିଳାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। କ୍ୟାପସନରେ ଲେଖାଯାଇଛି, ସନ୍ଧ୍ୟା ଥିଏଟରରେ ଘଟିଥିବା ଦୁଃଖଦ ଘଟଣାରେ ମୁଁ ଗଭୀର ଦୁଃଖିତ। ଏହି କଠିନ ସମୟରେ ମୁଁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ମୁଁ ସେମାନଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ସେମାନେ ଏହି ଯନ୍ତ୍ରଣାରେ ଏକା ନୁହଁନ୍ତି ଏବଂ ବ୍ୟକ୍ତିଗତ ଭାବରେ ପରିବାରକୁ ଭେଟିବେ। ଏହି ଚ୍ୟାଲେଞ୍ଜିଂ ସମୟର ମୁକାବିଲା ପାଇଁ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ।
ସୂଚନାଯୋଗ୍ୟ, ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨'ର ସ୍ପେଶାଲ ସ୍କ୍ରିନିଂ ଡିସେମ୍ବର ୪ରେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଥିଏଟରରେ ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିବା ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ସମୟରେ ପୁଲିସ ଲାଠିଚାର୍ଜ କରିଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଆହତ ହୋଇଛନ୍ତି। ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ଆଡଭାଇଜରୀ ଜାରି କଲେ ଭାରତ ସରକାର