ମୁୁମ୍ବାଇ: ବ୍ଲକବଷ୍ଟର ହିଟ୍ ଫିଲ୍ମ ଧୁରନ୍ଧରରେ କାମ କରିଥିବା ଅଭିନେତା ନଦୀମ ଖାନଙ୍କୁ ପୋଲିସ ଦୁଷ୍କର୍ମ କେସରେ ଗିରଫ କରିଛି । ଅଭିନେତାଙ୍କ ଉପରେ ନିଜର ସହାୟିକାଙ୍କ ସହ ପ୍ରାୟ ୧୦ ବର୍ଷ ଧରି ଦୁଷ୍କର୍ମର ଅଭିଯୋଗ ହୋଇଛି । ନଦୀମ ସିନେମା ଜଗତରେ ଦୀର୍ଘ ସମୟରୁ ସକ୍ରିୟ ଅଛନ୍ତି । ସେ ଫିଲ୍ମ ଏବଂ ଟିଭି ଶୋରେ ଅଧିକାଂଶ ସମୟ ସହାୟକ ଅଭିନେତା ଚରିତ୍ରରେ ଅଭିନୟ କରି ଆସିଛନ୍ତି । ନଦୀମ ଖାନଙ୍କ ବିଷୟରେ ଏହି ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ଜାରି ରହିଛି । ପୋଲିସ ମାମଲାର ଗମ୍ଭୀରତାକୁ ଦେଖି ନଦୀମଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।
ପୀଡିତାଙ୍କ ଅଭିଯୋଗ ମୁତାବକ, ନଦୀମ ଖାନ ଘରୋଇ ସହାୟିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖି ଆସିଥିଲା । ଯେବେ ପୀଡିତା ବିବାହ ପାଇଁ ଚାପ ପକାଇଲା, ଅଭିନେତା ନଦୀମ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ ଏବଂ ଧମକାଇବା ଆରମ୍ଭ କରିଥିଲେ । ଦୀର୍ଘ ସମୟ ନିର୍ଯାତନା ସହିବା ପରେ ଘରୋଇ ସହାୟିକା ଥାନାରେ ପହଞ୍ଚି ପୋଲିସକୁ ଘଟଣା ବିଷୟରେ ଜଣାଇଥିଲା । ଏହା ପରେ ଅଭିନେତାଙ୍କ ବିରୋଧରେ କେସ୍ ରୁଜୁ ହୋଇଥିଲା । ପୋଲିସ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିନେତାଙ୍କୁ ଗିରଫ କରିଛି ।
ପୋଲିସ ଅଧିକାରୀ କହିଛନ୍ତି, ଅଭିନେତାଙ୍କ ବିରୋଧରେ ସମ୍ବନ୍ଧିତ ଧାରା ଆଧାରରେ ଏଫଆଇଆର ରୁଜୁ କରାଯାଇଛି । ଗିରଫଦାରୀ ପରେ ଏବେ ପୋଲିସ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛି । ନଦୀମଙ୍କୁ ଶୀଘ୍ର କୋର୍ଟରେ ହାଜର କରାଯାଇପାରେ । ପୋଲିସ ଆଗାମୀ ପଚରା ଉଚୁରା ପାଇଁ ରିମାଣ୍ଡ ଦାବି କରିପାରେ ।
Also read: ଯଦି ଭେଦଭାବ ହୋଇଥାନ୍ତା ତେବେ ଶାହରୁଖ-ସଲମାନ ଷ୍ଟାର କେମିତି ହୋଇଥାନ୍ତେ ? ଏଆର ରେହମାନଙ୍କୁ ଅରୁଣ ଗୋଭିଲଙ୍କ ଜବାବ