ସମ୍ପ୍ରତି ଜାପାନୀ ଦମ୍ପତିଙ୍କ ଭିତରେ ‘ବିଚ୍ଛେଦ ବିବାହ’ (ସେପାରେସନ୍ ମ୍ୟାରେଜ୍) ଶୈଳୀ ବେଶ୍ ଲୋକପ୍ରିୟ ହୋଇଚାଲିଛି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାହରେ ଦମ୍ପତିମାନେ ପରସ୍ପର ଠାରୁ ଅଲଗା ରହିବେ ଏବଂ ସପ୍ତାହକୁ ଥରେ କିମ୍ବା ଦୁଇ ଥର ଭେଟିବେ । ଏମିତି କରିବା ଦ୍ୱାରା ଉଭୟଙ୍କୁ ସ୍ୱାଧୀନ ଭାବରେ ନିଜ ଜୀବନ ଉପଭୋଗ କରିବାର ସୁଯୋଗ ମିଳିପାରିବ ।ସେମାନେ ପରସ୍ପରର ଭଲପାଇବା ଓ ସମର୍ଥନକୁ ଉପଭୋଗ କରିବା ସହ ନିଜ ଜୀବନସାଥୀଙ୍କ ବିଷୟରେ ମୁଣ୍ଡ ନଖେଳାଇ ବ୍ୟକ୍ତିଗତ ଜୀବନ ବଜାୟ ରଖିପାରୁଛନ୍ତି। ଏହା ଦ୍ୱାରା ଦମ୍ପତି ଏକା ସାଥିରେ ବିବାହିତ ହେବାର ଓ ଅବିବାହିତ ରହିବାର ମିଶ୍ର ଅନୁଭୂତି କୁ ଅନୁଭବ କରିପାରିବେ । ତେବେ ଗୁରୁତ୍ବପୂର୍ଣ୍ଣ ହେଲା, ପାରସ୍ପରିକ ପ୍ରେମ ଓ ସମ୍ମାନ ଉପରେ ସମ୍ପର୍କ ଆଧାରିତ ହେବା ଆବଶ୍ୟକ।
ବିବିସି ଦ୍ଵାରା ଏଭଳି ଏକ ଜାପାନୀ ଦମ୍ପତିଙ୍କ ‘ବିଚ୍ଛେଦ ବିବାହ’ର କାହାଣୀ ପ୍ରସାରିତ କରାଯାଇଛି । ଏହି କାହାଣୀରେ ସ୍ବାସ୍ଥ୍ୟ ପ୍ରଶିକ୍ଷିକା ତଥା ବ୍ୟାୟାମଶାଳା ପରିଚାଳିକା ପତ୍ନୀ 'ହରୋମି ତାକେଦା' ନିଜକୁ ଜଣେ ଦୃଢ଼ ସ୍ୱାଧୀନ ମହିଳା ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ଵାମୀ ଘରେ ଥିଲେ ସେ କିଛି କାମ କରିବାକୁ ଅସହଜ ମନେ କରନ୍ତି । ଯାହା ତାଙ୍କୁ ଚାପଗ୍ରସ୍ତ କରିଦେଇପାରେ । ତାଙ୍କ ସ୍ଵାମୀ ତାଙ୍କ ପାଖରେ ନଥିବାରୁ ସେ ମାନସିକ ଚାପରୁ ମୁକ୍ତ ହୋଇପାରୁଛନ୍ତି । ସେହିପରି ତାଙ୍କ ସ୍ଵାମୀ 'ହିଦେକାଳୁ' ହେଉଛନ୍ତି ଜଣେ ବ୍ୟାପାର ପରାମର୍ଶଦାତା । ତାଙ୍କର ଅଧିକାଂଶ ସମୟ କମ୍ପ୍ୟୁଟର ସାମନାରେ ହିଁ ବିତିଥାଏ। ସେମାନଙ୍କର ଜୀବନଶୈଳୀ ପରସ୍ପରଠାରୁ ସଂପୂର୍ଣ୍ଣ ଅଲଗା ହେଲେ ବି ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି ଓ ସମ୍ମାନ ଦିଅନ୍ତି। ତେଣୁ ବିବାହ ବନ୍ଧନରେ ବାନ୍ଧି ହେବା ପରେ ମଧ୍ୟ ସେମାନେ ଅଲଗା ଅଲଗା ଘରେ ରହୁଛନ୍ତି। ଏହି ଦମ୍ପତିଙ୍କର ଏକ ସନ୍ତାନ ମଧ୍ୟ ଅଛି ଯିଏ ମାଆ ହିରୋମିଙ୍କ ପାଖରେ ରହୁଛି। ସ୍ବାମୀସ୍ତ୍ରୀ ପରସ୍ପରକୁ ସପ୍ତାହରେ ଦୁଇ ବା ତିନି ଥର ଭେଟନ୍ତି । ବିବାହ ପରେ ଦମ୍ପତି ଏକାଠି ରହିବା ନିହାତି ଦରକାର ନାହିଁ ବୋଲି ଉଭୟ ବିଶ୍ଵାସ କରନ୍ତି ।