ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି । ଆସନ ଅନୁସାରେ ଏହା ସବୁଠାରୁ ବଡ ପର୍ଯ୍ୟାୟ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ମତଦାନ ସାବ୍ୟସ୍ତ କରିବା ପାଇଁ ଅପିଲ୍ କରିଛନ୍ତି । ମୋଦୀ ହିନ୍ଦୀ, ତାମିଲ, ମରାଠୀ ସମେତ ୫ଟି ଭାଷାରେ ଟ୍ବିଟ୍ କରିଛନ୍ତି ।
ସକାଳ ୧୧ଟା ସୁଦ୍ଧା ସବୁଠୁ ଅଧିକ ଭୋଟିଂ ପଶ୍ଚିମବଙ୍ଗରେ ହୋଇଛି । ଏଠାରେ ୩୩.୫୬ ପ୍ରତିଶତ ମତଦାନ ହୋଇଛି । ସବୁଠାରୁ କମ୍ ଭୋଟିଂ ଲାକ୍ଷାଦ୍ବୀପରେ ହୋଇଛି । ମାତ୍ର ୧୬.୩୩ ପ୍ରତିଶତ ମତଦାନ ହୋଇଛି । ୧୧ଟା ସୁଦ୍ଧା ୨୧ ରାଜ୍ୟରେ ହାରାହାରି ୨୫ ପ୍ରତିଶତ ମତଦାନ ହୋଇସାରିଛି । ତେବେ ମତଦାନ ସମୟରେ ଣିପୁରର ମୋଇରଙ୍ଗ ବିଧାନସଭାର ଥାମାନପୋକପି ର ଏକ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଏହି ଗୁଳିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ ।
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଥିବା ବେଳେ ଏହି ଗୁଳି ବିନିମୟ ଭୋଟରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଳି ବିନିମୟ ମଧ୍ୟରେ ଲୋକମାନେ ମତଦାନ ବୁଥରୁ ଦୌଡ଼ିକି ବାହାରକୁ ପଳାଉଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶୁକ୍ରବାର ଦିନ ମଣିପୁର ଲୋକସଭା ଆସନ ଏବଂ ବାହ୍ୟ ମଣିପୁରର କିଛି ଅଂଶରେ ମତଦାନ ହୋଇଥିଲା । ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଲୁୱାଙ୍ଗସଙ୍ଗବାମ ମମଙ୍ଗ ଲାଇକାଇରେ ଭୋଟ୍ ଦେଇଛନ୍ତି । ସେ ରାଜ୍ୟର ଆଦିବାସୀମାନଙ୍କୁ ସୁରକ୍ଷା ଦେବାକୁ ଓ ଏହାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲୋକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ ।
ଅଧିକ ପଢ଼ନ୍ତୁ : ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ : ଭୋଟ ଦେଉଛନ୍ତି ଜନତା