ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି ମତଦାନ। ଏହିକ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ ହୋଇଛି। ୮ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ଯାଇଛି। ୧୦୨ ଆସନରେ ମୋଟ ୧୬୨୫ ଜଣ ପ୍ରାର୍ଥୀ ହୋଇଥିବା ବେଳେ ଏବେ ସମସ୍ତଙ୍କ ଭାଗ୍ୟର ଫଳ ଆସନ୍ତା ଜୁନ ୪ ତାରିଖରେ ଜଣାପଡ଼ିବ। ଜୁନ ୪ରେ ସମସ୍ତ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ମଣିପୁର ଓ ପଶ୍ଚିମବଙ୍ଗର କିଛି ସ୍ଥାନକୁ ଛାଡ଼ି ଦେଲେ ନିର୍ବାଚନ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କିନ୍ତୁ ବଡ଼କଥା ହେଉଛି ୨୦୧୯ ତୁଳନାରେ ୨୦୨୪ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ହ୍ରାସ ପାଇଛି। ୨୦୧୯ରେ ପ୍ରଥମ ପର୍ଯ୍ୟାୟରେ ୬୯.୪୩% ଭୋଟିଂ ହୋଇଥିଲା ବେଳେ ୨୦୨୪ରେ ୬୦% ଭୋଟିଂ ହୋଇଛି।
ସନ୍ଧ୍ୟା ୬ଟା ସୁଦ୍ଧା ୫୯.୭୧% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଅନ୍ୟପଟେ ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଆସନ ପାଇଁ ଭୋଟିଂ ହୋଇଛି। କିନ୍ତୁ ଏଠାରେ ଭୋଟିଂ ହାର ସବୁଠାରୁ କମ ରହିଛି। ମାତ୍ର ୪୮.୨୩% ଲୋକ ଭୋଟ ଦେଇଛନ୍ତି।
ଏହାବାଦ ଆଣ୍ଡାମାନ ନିକୋବରରେ ୫୬.୮୭%, ଅରୁଣାଚଳ ପ୍ରଦେଶରେ ୨ଟି ଆସନ ପାଇଁ ୬୪.୦୭%, ଆସାମରେ ୭୦.୭୭%, ଛତିଶଗଡ଼ରେ୬୩.୪୧%, ଜମ୍ମୁ-କଶ୍ମୀରରେ ୬୫.୦୮%, ଲକ୍ଷଦ୍ୱୀପ, ୫୯.୦୨%, ମଧ୍ୟପ୍ରଦେଶରେ ୬୩.୨୫%, ମହାରାଷ୍ଟ୍ରରେ ୫୪.୮୫%, ମଣିପୁରେ ୬୮.୬୨ କିନ୍ତୁ ପଶ୍ଚିମବଙ୍ଗରେ ସର୍ବାଧିକ ୭୭.୫୭% ଭୋଟିଂ ହୋଇଛି।