ସୋମବାର ରାଜ୍ୟ ବିଜେପି ପକ୍ଷରୁ ଓ଼ଡିଆ ସଂକଳ୍ପପତ୍ର ଜାରି କରାଯାଇଛି। ଭାଜପା କାର୍ଯ୍ୟାଳୟରେ 'ମୋଦି ଗ୍ୟାରେଣ୍ଟି' ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ଏହି ମୋଦି ଗ୍ୟାରେଣ୍ଟି ଓଡ଼ିଆ ସଂକଳ୍ପପତ୍ରକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନମୋହନ କହିଛନ୍ତି। ଏହି ଅବସରରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମର,ପୂର୍ବତନ ସଭାପତି ସମୀର ମହାନ୍ତି ସହ ବିଜେପିର ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ପ୍ରତିଶୃତି ବଦ୍ଧ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ମିଶନରେ କାର୍ଯ୍ୟ କରିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ କରିଛି ଦଳ । ଗରିବ ପରିବାରକୁ ପରବର୍ତ୍ତୀ ୫ବର୍ଷ ପାଇଁ ମାଗଣା ରାସନ ଯୋଗାଇ ଦିଆଯିବ। ମାଗଣା ଏବଂ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଣ ଜାରି ରହିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିସ୍ତାର ସହ ପ୍ରତିଘରକୁ ଟ୍ୟାପ୍ ଜଳ ଯୋଗାଣ ଓ ବସ୍ତିର ପୁନଃବିକାଶ କରିବାକୁ ଗ୍ୟାରେଣ୍ଟି ଦିଆଯାଇଛି ।