ଦେଶରେ ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଭୋଟ ଦେଉଛନ୍ତି ସାଧାରଣ ଜନତା । ବାଛିବେ ନିଜ ନେତା। ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।
ଆଜି ମତଦାନରେ ତାମିଲନାଡୁର ସମସ୍ତ ୩୯ଟି ଆସନରେ ହେଉଛି ମତଦାନ। ସେହିପରି ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ଚାଲିଛି ମତଦାନ।
ସେହିପରି ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ ପ୍ରଦେଶର ୨ଟି ଯାକ ଆସନ, ମଣିପୁରର ସମସ୍ତ ୨ଟି ଆସନ, ମେଘାଳୟର ସମସ୍ତ ୨ଟି ସିଟ୍ ଏବଂ ଛତିଶଗଡ଼, ତ୍ରିପୁରା, ମିଜୋରମ, ନାଗାଲାଣ୍ଡ, ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ବୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି।