ଜଙ୍ଗଲକୁ ମଇଁଷି ଖୋଜିବାକୁ ଯାଇଥିବା ବେଳେ ଗତ ୩୧ ତାରିଖରେ ବନବିଭାଗ ଗୁଳିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା l ମୃତ ଯୁବକ ହେଲେ ବୁରୁଡ଼ିହି ଗାଁର ଜଗନ୍ନାଥ ହେମ୍ବ୍ରମ l ତେବେ ସେହି ଗାଁର ପlଣ୍ଡୁ ମୁର୍ମୁଙ୍କ ହଜିଯାଇଥିବା ମଇଁଷିକୁ ଖୋଜିବାକୁ ଯାଇଥିବା ବେଳେ ଜଣେ ବନ କର୍ମଚାରୀ ତାଙ୍କୁ ଗୁଳି କରି ହତ୍ୟା କରିଥିବା ବାଙ୍ଗିରିପୋଷି ଥାନାରେ ଗତକାଲି ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା l ତେବେ ଏନେଇ ଆଜି ମୁଁହ ଖୋଲିଛନ୍ତି ମୁଖ୍ୟ ବନ ସଂରକ୍ଷକ l ମୃତ ଯୁବକ ଜଣକ ଶିକାରୀ ବୋଲି ସ୍ପଷ୍ଟ କରିଛନ୍ତି ଶିମିଳିପାଳ କର୍ତୃପକ୍ଷ ।
କର୍ତୃପକ୍ଷଙ୍କ କହିବା ଅନୁଯାୟୀ, ଶିକାରୀମାନେ ପ୍ରଥମେ ହାତରେ ବନ୍ଧୁକ ଓ ଧନୁତୀର ଧରି ବନ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ବନ ବିଭାଗ ପକ୍ଷରୁ ଆତ୍ମରକ୍ଷା ପାଇଁ ଫାଙ୍କା ଗୁଳିଚାଳନା କରାଯାଇଥିଲା। ଏଥିରେ ଜଣେ ଶିକାରୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଶିକାରୀମାନେ ଭୟଭୀତ ହୋଇ ଅସ୍ତ୍ରଶସ୍ତ୍ର ଛାଡି ଘଟଣା ସ୍ଥଳରୁ ଖସି ଯାଇଥିଲେ । ବନ କର୍ମଚାରୀ ମାନେ ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ୫ଟି ଧନୁ ଓ କିଛି ଧନୁ ତୀର ଜବତ କରିଛନ୍ତି । ଯୁବକଙ୍କ ମୃତ୍ୟୁ ନେଇ ସମ୍ପୁର୍ଣ୍ଣ ତଥ୍ୟ ଆସିନଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ସମୟରେ ମୃତ ଯୁବକଙ୍କ ଛାତିରୁ ୩ଟି ଗୁଳି ବାହାରିଥିବା ଜଣାଇଛନ୍ତି ଶିମିଳିପାଳ କତୃପକ୍ଷ ।