ତାଳଚେର: ମହିଳାଙ୍କ ଘରେ ପଶିଗଲା ବାରହା ଏବଂ ସେ କିଛି ନ ବୁଝିବା ଆଗରୁ ବାରହାର ଅତର୍କିତ ଆକ୍ରମଣର ଶିକାର ହେଲେ। ଆଜି ସକାଳେ ଏପରି ଅଘଟଣ ଅନୁଗୁଳ ଜିଲା ତାଳଚେରରେ ଘଟିଛି। ବାରହା ଆକ୍ରମଣରେ ଜଣେ ନାବାଳକ ସମେତ ଜଣେ ବୃଦ୍ଧା ଆହତ ହୋଇଛନ୍ତି। ସେ ହେଲେ ଚତୁରୀ ନାଏକ(୬୦) ଓ ରାଜା ନାଏକ (୧୦)। ଆହତ ଦ୍ବୟ ପଡୋଶୀ ହୋଇଥିବା ଜଣାପଡିଛି।
ଗୁରୁବାର ସକାଳେ ନିଜ ଘରେ କାମ କରୁଥିବା ବେଳେ ହଠାତ ଏକ ବାରହା ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ଏହା ଫଳରେ ମହିଳାଜଣକ କ୍ଷତାକ୍ତ ହୋଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ପଡୋଶୀ ମାନେ ଏକଜୁଟ ହୋଇଥିଲେ। ଏଥିରେ ଆତଙ୍କିତ ହୋଇ ବାରହାଟି ପଡୋଶୀ ରାଜା ନାୟକଙ୍କ ଘରେ ପଶି ତାଙ୍କୁ କାମୁଡି ଦେଇଥିଲା।
ଏହାପରେ ଲୋକ ମାନେ ଏକତ୍ରିତ ହୋଇ ବାରହାକୁ ଗୋଟିଏ ଘରେ ବନ୍ଦ କରି ତାଲା ପକାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଆହତଙ୍କୁ ଚିକିତ୍ସା ପାଇଁ ତାଳଚେର ମଣ୍ଡପାଳସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ବନବିଭାଗକୁ ସୂଚିତ କରାଯାଇଛି।