ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟା କାଣ୍ଡକୁ ରେଡ୍ ଫ୍ଲାଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହିତ ହତ୍ୟାକାରୀ ଦୀପକ ରାଉତର ପୂର୍ବତନ ପତ୍ନୀଙ୍କ ମୃତ୍ୟୁ ମାମଲାକୁ ଏଥିରେ ସାମିଲ କରାଯାଇଛି । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଚ୍ଚସ୍ତରୀୟ ତଦନ୍ତ ହେବ । କମିଶନରେଟ ପୋଲିସକୁ ତଦନ୍ତରେ କ୍ରାଇମବ୍ରାଞ୍ଚ ସହାୟତା କରିବ ।ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ଦୁଇଟି ମାମଲାକୁ ଅନୁଧ୍ୟାନ କରିବ । ମାମଲା ହେବାର ୬୦ ଦିନ ମଧ୍ୟରେ କେସର ଚାର୍ଜସିଟ୍ ଦାଖଲ କରାଯିବ ।
ଗତ ସେପ୍ଟେମ୍ବର ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରା ସାହୁ ନିଖୋଜ ହୋଇଥିଲେ । ପରେ ଗତ ୧୭ ତାରିଖ ବୁଧବାର ଶୁଭମିତ୍ରାଙ୍କ ପୁରୁଷ ବନ୍ଧୁ ଦୀପକ ରାଉତ ହତ୍ୟା କରିଥିବା ସ୍ୱୀକାର କରିଥିଲା ଏବଂ ସେହିଦିନ କେନ୍ଦୁଝରରୁ ଶୁଭମିତ୍ରାଙ୍କ ଗଳିତ ମୃତ ଦେହ ମିଳିଥିଲା । ୨୦ ଲକ୍ଷ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା ।
ପରବର୍ତ୍ତୀ ସମୟରେ ଦୀପକଙ୍କ ପ୍ରଥମ ଗର୍ଭବତୀ ପତ୍ନୀ ଅପୂର୍ଣ୍ଣାଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଅପର୍ଣ୍ଣା ପରିବାର ଲୋକେ ବର୍ତ୍ତମାନ ହତ୍ୟା ଅଭିଯୋଗ ଆଣିଛନ୍ତି । ତେଣୁ ଅପୂର୍ଣ୍ଣାଙ୍କ ମୃତ୍ୟ ଫାଇଲ୍ ମଧ୍ୟ ପୁଣି ଥରେ ଖୋଲିବାର ସମ୍ଭାବନା ରହିଛି । ୨୦୨୨ରେ ଅପର୍ଣ୍ଣାଙ୍କର ଖୁଣ୍ଟୁଣି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାର ଦୀପକ କହିଥିଲା । ଅପର୍ଣ୍ଣାଙ୍କ ପରିବାର ସେତେବେଳେ ଦୀପକର କଥାକୁ ସହଜରେ ବିଶ୍ୱାସ କରିନେଇଥିଲେ । କିନ୍ତୁ ଏବେ ସେହି ଘଟଣାକୁ ତର୍ଜମା କଲେ ତାହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଅଭିଯୋଗ କରିଛି । କୋଟିଏ ଟଙ୍କାର ବୀମା ରାଶି ପାଇଁ ଅପୂର୍ଣ୍ଣାଙ୍କ ହତ୍ୟା କରାଯାଇଥିବା ପରିବାର କହିଛି । ଯେଉଁ କୋଟିଏ ଟଙ୍କା ପରବର୍ତ୍ତୀ ସମୟରେ ଦୀପକକୁ ମିଳିଥିଲା ।