ଇନ୍ଦୋର: ରାଜା ରଘୁବଂଶୀ ହତ୍ୟାକାଣ୍ଡର ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତ ଆଠ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛି । ମାତ୍ର ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ଜଣା ପଡିନାହିଁ ଯେ, ଏହି ହତ୍ୟାକାଣ୍ଡର ପ୍ରକୃତ ଦୋଷୀ କିଏ? ଏ ପର୍ଯ୍ୟନ୍ତ ତଦନ୍ତରେ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ ଓ ପ୍ରେମିକ ରାଜ କୁଶୱାହ ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡିଛନ୍ତି । ତେବେ ଏହି ଘଟଣା ପଛର ଅସଲ ମାଷ୍ଟରମାଇଣ୍ଡ କିଏ ଏହାକୁ ନେଇ ସୋନମ ଓ ରାଜ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ।
ସୋନମ ରଘୁବଂଶୀ କହୁଛି ଘଟଣାର ମାଷ୍ଟରମାଇଣ୍ଡ ରାଜ ଏବଂ ରାଜ କହୁଛି ସୋନମ ମୁଖ୍ୟ ଆସାମୀ । ଏ ପର୍ଯ୍ୟନ୍ତ ଉଭୟ ପରସ୍ପର ଉପରେ ବ୍ଲେମଗେମର ଖେଳ ଖେଳୁଛନ୍ତି । ହେଲେ ଉଭୟ ରାଜାଙ୍କ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି । ସିଲଙ୍ଗର ଡିଆଇଜି ଡେଭିସ ମାରକ କହିଛନ୍ତି ଯେ, ଏହି ଘଟଣାରେ ଜେରା ପରେ ଜଣା ପଡିବ ଯେ, ରାଜା ରଘୁବଂଶୀ ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟରମାଇଣ୍ଡ କିଏ । ଏହି ମାମଲାରେ ସବୁଠୁ ବଡ ପ୍ରଶ୍ନ ରାଜାଙ୍କୁ ହତ୍ୟା କରିବା ପାଇଁ କିଏ ପ୍ରଥମେ ଏ ବୁଦ୍ଧି ଦେଇଥିଲା ।
ତେବେ ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣା ପଡିଛି ଯେ, ସୋନମ ହିଁ ରାଜ କୁଶୱାହକୁ ହତ୍ୟା ପାଇଁ କିଲର ଖୋଜିବାର ଦାୟିତ୍ୱ ଦେଇଥିଲା । ରାଜ ଏଥିପାଇଁ ନିଜର ପିଲାବେଳର ତିନି ସାଙ୍ଗକୁ ପ୍ରସ୍ତୁତ କରିଥିଲା, ଯେଉଁମାନେ ମେଘାଳୟର ସିଲଙ୍ଗ ଯାଇ ରାଜା ରଘୁବଂଶୀର ହତ୍ୟା କରିଥିଲେ । ଏହି ତିନି ସହ ଅଭିଯୁକ୍ତ ହେଉଛନ୍ତି ଆକାଶ ରାଜପୁତ, ବିଶାଲ ସିଂ ଚୌହାନ ଓ ଆନନ୍ଦ କୁର୍ମୀ ।
ସୂଚନାଯୋଗ୍ୟ, ଇନ୍ଦୋରର ୨୪ ବର୍ଷୀୟ ସୋନମ ରଘୁବଂଶୀ ଏବଂ ୨୯ ବର୍ଷୀୟ ରାଜା ରଘୁବଂଶୀଙ୍କ ବିବାହ ମେ ୧୧ରେ ହୋଇଥିଲା । ଦୁହେଁ ହନିମୁନ ପାଇଁ ମେଘାଳୟର ସିଲଙ୍ଗ ଯାଇଥିଲେ । ତେବେ ଜୁନ ୨ରେ ରଘୁବଂଶୀଙ୍କ ହତ୍ୟା ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଅଭିଯୋଗ ହୋଇଥିଲା ଯେ, ସୋନମ ମେ ୨୩ରେ ନିଜର ପ୍ରେମିକ ରାଜ କୁଶୱାହ ଓ ତିନି ହତ୍ୟାକାରୀଙ୍କ ସାହାଯ୍ୟରେ ରଘୁବଂଶୀଙ୍କ ହତ୍ୟା କରିଥିଲେ । ଏହା ପରେ ମୃତଦେହକୁ ସିଲଙ୍ଗର ଏକ ଗଭୀର ଖାଇକୁ ଫିଙ୍ଗି ଦେଇଥିଲେ ।