ଭୁବନେଶ୍ୱର: କିଲର ଦୀପକ ରାଉତଙ୍କୁ ନେଇ ବଡ଼ ଖଲାସା। ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ବି ହତ୍ୟା କରିଥିଲା ଦୀପକ। ଏନେଇ ବିଧାନସଭାରେ ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ। ସେପଟେ ଲେଡି କନଷ୍ଟେବଳ ‘ଶୁଭମିତ୍ରା’ଙ୍କ ହତ୍ୟା କାରଣ ବି ଜଣାପଡିଛି। ତାଙ୍କୁ ୨୦ ଲକ୍ଷ ଟଙ୍କା ପାଇଁ ମାରିଥିଲା ଦୀପକ। ପୋଲିସ ଆଗରେ ସବୁ କିଛି ସେ ସ୍ୱୀକାର କରିଛି। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଗୃହରେ ମନ୍ତ୍ରୀ କହିଛନ୍ତି, ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରିଥିଲା ଦୀପକ। ବୀମା ଟଙ୍କା ପାଇବା ପାଇଁ ପ୍ରଥମ ପତ୍ନୀଙ୍କୁ ସେ ହତ୍ୟା କରିଥିଲା। ୧୭ ମାର୍ଚ୍ଚ ୨୦୨୨ରେ ଘଟିଥିଲା ଏହି ହତ୍ୟାକାଣ୍ଡ। ହତ୍ୟା ପରେ ଦୁର୍ଘଟଣାର ରୂପ ଦେଇଥିଲା ଦୀପକ। ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଥିଲା । ହେଲେ ପ୍ରକୃତ ଘଟଣା ହେଲା ଦୁର୍ଘଟଣା କରିଥିବା ଟ୍ରକ ସେଦିନ ରାଉରକେଲାରେ ଥିଲା। ତେବେ ଏହା କିପରି ସମ୍ଭବ। କିଏ ଏହାକୁ ଚାପି ରଖିଥିଲା? ୨୦୨୨ରେ କାହା ସରକାର ଥିଲା, କିଏ ଘଟଣାକୁ ଲୁଚାଇଥିଲା ବୋଲି ବିଜେଡିକୁ ଆକ୍ଷେପ କରି ଗୃହରେ ପ୍ରଶ୍ନ ଉଠାଇଛନ୍ତି ଆଇନମନ୍ତ୍ରୀ।
ଶୁଭମିତ୍ରା ହତ୍ୟା ମାମଲାର ମୁଲତବୀ ଆଲୋଚନା ବେଳେ ଆଇନମନ୍ତ୍ରୀ ଏହି ବଡ଼ ତଥ୍ୟ ଦେଇଛନ୍ତି। ଶୁଭମିତ୍ରାଙ୍କୁ ମଧ୍ୟ ୨୦ ଲକ୍ଷ ପାଇଁ ହତ୍ୟା କରିଥିଲା ଦୀପକ। ବିବାହ ପାଇଁ ଶୁଭମିତ୍ରା ୨୦ ଲକ୍ଷ ମାଗିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ। ପରେ ସେ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝରରେ ପୋତି ଦେଇଆସିଥିଲା । ଘଟଣାର ୧୦ ଦିନ ପରେ ପୋଲିସ ହତ୍ୟାକାଣ୍ଡ ଉପରେ ପରଦା ହଟାଇ ଅଭିଯୁକ୍ତ ଦୀପକ ରାଉତକୁ ଗିରଫ କରିଥିଲା ।