ନୂଆଦିଲ୍ଲୀ: କବର ଭିତରେ ମଧ୍ୟ ମହିଳା ସୁରକ୍ଷିତ ନାହାଁନ୍ତି । କବର ଭିତରେ ଥିବା ମହିଳାଙ୍କ ମରଶରୀର ସହିତ ଅମାନୁଷିକ କାଣ୍ଡ କରାଯାଇଛି । ଯାହାକି ସାରା ମାନବ ସଭ୍ୟତା ପାଇଁ ଅତ୍ୟନ୍ତ ନିନ୍ଦନୀୟ । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ମଧ୍ୟପ୍ରଦେଶ ଖଣ୍ଡବା ଅଞ୍ଚଳରେ ।
ଅଭିଯୋଗକାରୀଙ୍କ ମୁତାବକ, ଖଣ୍ଡବାରେ ଜଣେ ମହିଳାଙ୍କ ମୃତ ଶରୀରକୁ ଦୁଇ ଦିନ ତଳେ କବର ଦିଆଯାଇଥିଲା । ମହିଳା ଜଣକ ଇସଲାମ ଧର୍ମର ଥିଲେ । ଦୁଇ ଦିନ ପରେ ଯେତେବେଳେ ସମ୍ପର୍କୀୟ ମାନେ କିଛି କାର୍ୟ୍ୟ କରିବାକୁ ଆସିଥିଲେ, କବରକୁ ଦେଖି ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ମହିଳାଙ୍କ କବର ଖୋଳା ଯାଇଥିଲା । ସେହିପରି ଅନ୍ୟ ଏକ କବର ଖୋଳାଯାଇଥିଲା । ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ସେଠାରେ ମହଜୁତ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା । ଜଣେ ବ୍ୟକ୍ତି କବର ଉପରୁ ଚାଦର ହଟାଇ ସିସିଟିଭି କ୍ୟାମେରା ଉପରେ ପକାଇ ଦେଇଥିଲା । କିନ୍ତୁ ଅନ୍ୟ ଏକ ସିସିଟିଭି କ୍ୟାମେରା ସମସ୍ତ ଦୃଶ୍ୟ କଏଦ ହୋଇଥିଲା ।
ତିନି ମାସ ପୂର୍ବରୁ ମଧ୍ୟ ଏମିତି ଘଟଣା ଘଟିଥିଲା । ଯାହା ପରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ଅନ୍ଧକାର ରାତିରେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ନିବସ୍ତ୍ର ହୋଇ ସେଠାକୁ ଯାଉଥିବା ଦେଖିବାକୁ ମିଳିଛି । ଏହା ସହିତ ମହିଳାଙ୍କ ଶବ ସହିତ ଘୃଣ୍ୟ କାମ କରୁଛି । ସିସିଟିଭି ଫୁଟେଜକୁ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମନ୍ଦୱାଡ଼ା ଗ୍ରାମର ଆୟୁବ ଖାନ୍ (୫୦)କୁ ଗିରଫ କରାଯାଇଛି । ଏସପି ମନୋଜ କୁମାର ରାୟଙ୍କ ସୂଚନା ଅନୁସାରେ, ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ସେପ୍ଟେମ୍ବର ୧୯ ଏବଂ ୨୧ରେ ତିନୋଟି ସ୍ଥାନରେ ଅଭିଯୁକ୍ତ ଆୟୁବ ଏଭଳି କାଣ୍ଡ କରିଥିବା ସ୍ୱୀକାର କରିଛି ।
ଇସମାଇଲ୍ ନାମରେ ଅନେକ ଏକାଧିକ ଗମ୍ଭୀର ମାମଲା ରହିଛି । ସେ ପୂର୍ବରୁ ଜେଲ ଦଣ୍ଡ ଭୋଗିଛି । ଚଳିତ ବର୍ଷ ମେ ୧୫ ତାରିଖରେ ଜେଲ ଦଣ୍ଡ ଭୋଗିବା ପରେ ମୁକ୍ତ ହୋଇଥିଲା । ମୁକୁଳିବାର ଚାରି ଦିନ ପରେ ସେ ଏପରି କାମ କରିଥିଲା । କିଛି ତାନ୍ତ୍ରିକ ପୂଜାପାଠ ପାଇଁ ମହିଳାଙ୍କ କବର ସହିତ ଏଭଳି କରୁଥିବା ସନ୍ଦେହ କରାଯାଉଛି ।