ଭୁବନେଶ୍ୱର: ଭୁବନେଶ୍ୱର ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲାରେ ଧରାପଡ଼ିଲା ଥାର୍ ମାଲିକ। ପୁରୀରୁ ଥାର୍ ମାଲିକ ସୋମନାଥ ବେହେରାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ। ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି ।
ଗତ ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା ଠାରେ ଜଣେ ମହିଳା ତାଙ୍କ ଝିଅକୁ ଧରି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା। ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ପରଦିନ ତଥା ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ। ଦୁର୍ଘଟଣା ପରେ ଫେରାର ହୋଇଯାଇଥିଲେ ଡ୍ରାଇଭର।
କୁହାଯାଉଛି, ୨୨ ବର୍ଷୀୟ ଅଙ୍କିତ ରାକ୍ଷୀ ପୂର୍ଣ୍ଣିମା ରାତିରେ ସ୍କର୍ପିଓ ଚଳାଉଥିଲେ ଏବଂ ଥାର୍ ଗାଡ଼ି ସହ ରେସିଂ କରୁଥିଲେ। ଆଉ ସେହି ରେସିଂ ବେଳେ ପାତ୍ରପଡ଼ା ଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଯେଉଁ ଦୁର୍ଘଟଣାରେ ମାନସ ରାଉଳଙ୍କ ପତ୍ନୀ ଓ ତାଙ୍କ ୮ ବର୍ଷିୟା କୁନି ଝିଅର ଜୀବନ ଯାଇଥିଲା। ଏହାକୁ ନେଇ ୨ ଦିନ ଧରି ରାସ୍ତାରୋକ କରିଥିଲେ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ବାସିନ୍ଦା। ପୋଲିସ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା। ଏହାପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଜୋରରଦାର ତଦନ୍ତ ଆରମ୍ଭ କରିଥିଲା।
ଅଧିକ ପଢନ୍ତୁ: ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଦୀପକର କଳାକାରନାମା; ପୋଲିସ ହାତରେ ଲାଗିଲା ହ୍ୱାଟସଆପ୍ ଚାଟିଂ
କୁହାଯାଉଛି ଅଭିଯୁକ୍ତ ମାନେ ଘଟଣା ପରେ ଓଡ଼ିଶା ଛାଡି ହିମାଚଳପ୍ରଦେଶ ମନାଲି ବୁଲିବାକୁ ପଳାଇଥିଲେ,ଦିଲ୍ଲୀରୁ ସେମାନଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁରୀରୁ ଥାର୍ ମାଲିକଙ୍କୁ ଗିରଫ କରାଯାଇଛି। ଥାର୍ ଗାଡ଼ିଟି ଜଟଣୀ ଅଞ୍ଚଳର ହୋଇଥିବା ସୂଚନା ମିଳିବା ପରେ ଗାଡିର ମାଲିକକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି।