ନୂଆଦିଲ୍ଲୀ: ମୃତ୍ୟୁ ପରେ ପରିବାର ଲୋକଙ୍କ ଆର୍ଥିକ ସୁରକ୍ଷା ପ୍ରଦାନ କରୁଥିବା ଜୀବନ ବୀମା ରାଶି ଏବେ ଜୀବନ ନାଶକ ହୋଇଯାଇଛି । ଓଡ଼ିଶାରୁ ନେଇ ଉତ୍ତର ପ୍ରଦେଶ ବିଭିନ୍ନ ସ୍ଥାନରୁ ଆସୁଛି ଛାତି ଥରା କାହାଣୀ । ସାମାନ୍ୟ ବୀମା ଟଙ୍କା ପାଇଁ ନିଜ ଲୋକଙ୍କ ଜୀବନ ନେବାକୁ ମଧ୍ୟ କେହି ପଛାଉ ନାହାଁନ୍ତି । ଉତ୍ତର ପ୍ରଦେଶ ହାପୁଡ଼ ଜାଲ୍ଲାରେ ଜଣେ ବ୍ୟକ୍ତି କୋଟି କୋଟି ବୀମା ଟଙ୍କା ପାଇଁ ମାତା ପିତାଙ୍କ ସହିତ ସ୍ତ୍ରୀର ଜୀବନ ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମେରଠ ନିବାସୀ ବିଶାଲ କୁମାର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ବୀମା କମ୍ପାନୀ ‘ନିବା ବୁପା’ର ପ୍ରତିନିଧି ସଞ୍ଜୟ କୁମାର ସଙ୍ଗୀନ ଅଭିଯୋଗ କରିଛନ୍ତି । ବୀମା ଟଙ୍କା ପାଇବା ପାଇଁ ନିଜ ପିତା ମାତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେମାନଙ୍କ ମୃତ୍ୟୁ ପ୍ରାକୃତିକ ମୃତ୍ୟୁ ନୁହେଁ ବୋଲି କମ୍ପାନୀ ସନ୍ଦେହ କରିଛି । ମେରଠ ପୋଲିସ ବିଶାଲ କୁମାର ଏବଂ ତାର ସହଯୋଗୀ ସତୀଶ କୁମାରକୁ ହାପୁଡ଼ ଜିଲ୍ଲାର ମୋଦୀନଗର ରୋଡ଼ରୁ ଗିରଫ କରିଛି ।
ମେରଠ ପୋଲିସ ମୁତାବକ, ୨୦୨୪ ମାର୍ଚ୍ଚ ୨୭ ତାରିଖରେ ବିଶାଲ କୁମାରର ପିତା ମୁକେଶ ସିଂଘଲଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଗଢ଼ ଗଙ୍ଗାରୁ ଫେରୁଥିବାବେଳେ ଦୁର୍ଘଟଣା ହୋଇଥିଲା ପରେ ମେରଠ ନବଜୀବନ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ବେଳେ ଏହାର ବିପରୀତ ରିପୋର୍ଟ ଆସିଥିଲା । ରିପୋର୍ଟ ମୁତାବକ ପୂର୍ବ ରାତିରେ ମୁକେଶଙ୍କର ମୃତ୍ୟୁ ହୋଇସାରିଥିଲା । ମୁକେଶଙ୍କ ଶରୀରରେ ଲାଗିଥିବା ଆଘାତ ଏବଂ ଦୁର୍ଘଟଣା ଆଘାତ ଭିତରେ ପାର୍ଥକ୍ୟ ଥିଲା । ମୁକେଶଙ୍କ ନାମରେ କେବଳ ନିବା ବୁପାରେ ନୁହେଁ ବରଂ ଟାଟା ଏଆଇଜି, ମ୍ୟାକ୍ସ ଲାଇଫ୍, ଟାଟା ଏଆଇଏ, ଏଚଡିଏଫସି ଏର୍ଗୋ ଭଳି ଏକାଧିକ କମ୍ପାନୀରେ ମୁକେଶ ଆକାଉଣ୍ଟ ଖୋଲିଥିଲେ । ତାଙ୍କର ବାର୍ଷିକ ଆୟ ମାତ୍ର ୧୨ରୁ ୧୫ ଲକ୍ଷ ଥିବାବେଳେ ସମୁଦାୟ ୩୯ କୋଟି ଟଙ୍କାର ଜୀବନ ବୀମା କରାଯାଇଛି । ମୃତ୍ୟୁ ପରେ ନୋମିନୀ ଥିବା ପୁଅ ବିଶାଲ ବୀମା ଟଙ୍କା ପାଇବାକୁ ଆବେଦନ କରିଥିଲା । ଏହାକୁ ହଡ଼ପ କରିବାକୁ ବିଶାଲ ନିଜ ପିତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ଜଣାପଡ଼ିଛି ।
ଖାଲିସେତିକି ନୁହେଁ ବିଶାଲର ମା’ ପ୍ରଭା ଦେବୀଙ୍କର ୨୦୧୭, ଜୁନ ୨୧ରେ ମଧ୍ୟ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଥିବା କୁହାଯାଇଥିଲା । ମା’ଙ୍କ ଦୁର୍ଘଟଣାବେଳେ ବିଶାଲ ସହିତ ସେ ବାଇକରେ ଯାତ୍ରା କରୁଥିଲେ । ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଥିଲା । ଯାହା ପରେ ବିଶାଲକୁ ମା’ଙ୍କ ମୃତ୍ୟୁ ବାବଦକୁ ୮୦ ଲକ୍ଷ ଟଙ୍କାର ବୀମା ରାଶି ମିଳିଥିଲା । ସେହିପରି ସ୍ତ୍ରୀର ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା ବୀମା ଟଙ୍କା ମିଳିଥିଲା । ତେଣୁ ଏ ସମସ୍ତ ମୃତ୍ୟୁ ଘଟଣା ପ୍ରାକୃତିକ ନୁହେଁ ବୋଲି ବୀମା କମ୍ପାନୀ ସନ୍ଦେହ କରିଥିଲା । ବିଶାଲ ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଥିଲା ।
ପୋଲିସ ଉଭୟ ବିଶାଲ ଏବଂ ତାର ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି ।