ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରେଡ ୱାରର ସବୁଠୁ ଅଧିକ ପ୍ରଭା ଚୀନରେ ଉପରେ ଦେଖିବାକୁ ମିଳିଛି । ଏ ପର୍ଯ୍ୟନ୍ତ ଭାରତ ଉପରେ ଏହାର ଖାସ୍ ପ୍ରଭାବ ପଡିନାହିଁ । କିନ୍ତୁ ଆଗାମୀ ସମୟରେ ଏହାକୁ ନେଇ ସକରାରଙ୍କ ଚିନ୍ତା ନିଶ୍ଚୟ ବଢିପାରେ । କାରଣ ଆମେରିକୀୟ କୃଷି ଉତ୍ପାଦର ଆମଦାନୀ ଭାରତରେ ବଢିପାରେ । ଏହା ବ୍ୟତୀତ ଚୀନ, ଭିଏତନାମ ଓ ଇଣ୍ଡୋନେସିଆର ଫ୍ୟାକ୍ଟ୍ରିରେ ନିର୍ମିତ ଉପକରଣର ମଧ୍ୟ ଭାରତରେ ଆମଦାନୀ ବଢିବାର ଆଶଙ୍କା ରହିଛି । ଏହାର କାରଣ ଆମେରିକା ଲଗାଇଥିବା ମୋଟା ଟାରିଫ ।
ଏମିତି ସ୍ଥିତିରେ ଚୀନ ସମେତ ଅନେକ ଦେଶ ନିଜ ଉତ୍ପାଦ ବିକ୍ରି ପାଇଁ ଭାରତ ପରି ବଜାର ସନ୍ଧାନରେ ଅଛନ୍ତି । ଅନ୍ୟପଟେ ଚୀନ ଆମେରିକା ଉପରେ ୧୨୫ ପ୍ରତିଶତ ଶୁଳ୍କ ଲଗାଇଛି । ଏହାର ମୁକାବିଲା ପାଇଁ ଆମେରିକାର ନଜର ଭାରତୀୟ ବଜାର ଉପରେ ରହିଛି । ଏମିତି ସ୍ଥିତି ଉପୁଜିଲେ ଭାରତୀୟ ଘରୋଇ ବଜାର ପାଇଁ ବଡ ଚିନ୍ତାର ବିଷୟ ସୃଷ୍ଟି କରିବ । ପ୍ରଥମରୁ ଭାରତ ଏହାକୁ ନେଇ ଚିନ୍ତିତ ଯେ, ଆମେରିକା ଓ ଚୀନ ସହ କାରବାର ଅସନ୍ତୁଳନର ସାମ୍ନା କରୁଛି । ଯଦି ଆମଦାନୀ ବଢିଚାଲେ ତେବେ କାରବାର ଘାଟା ଆହୁରି ବଢିବ । ଜଣେ ସରକାରୀ ଅଧିକାରୀ କହିଛନ୍ତି, ସାଂପ୍ରତିକ ସ୍ଥିତିର ଆକଳନ କରିବା ପରେ ଏହି ଚିତ୍ର ସାମ୍ନାକୁ ଆସିଛି ।
ଏବେ ଚାଲିଥିବା ଟ୍ରେଡ ୱାରର ପ୍ରଭାବ ଆଗାମୀ ସମୟରେ ଭାରତ ଉପରେ ଗୁରୁତର ଭାବେ ପଡିବ । ଆମେରିକା, ଚୀନ, ଇଣ୍ଡୋନେସିଆ ଓ ଭିଏତନାମ ପରି ଦେଶ ଭାରତରେ ନିଜର ଉତ୍ପାଦ ବିକ୍ରି ବଢାଇବାକୁ ଚାହିଁବେ । ଏହା ବାଦ୍ ଆମେରିକା ମଧ୍ୟ ନିଜର କୃଷି ଉତ୍ପାଦ ପାଇଁ ଭାରତୀୟ ବଜାରର ଉପଯୋଗ କରିବାକୁ ଚାହିଁବ । ସୋୟାବିନ ପରି ଉତ୍ପାଦ ଚୀନ ପକ୍ଷରୁ ଆମେରିକାରୁ ବ୍ୟାପକ ମାତ୍ରାରେ ଆମଦାନୀ ହୋଇଥାଏ । ଏବେ ଚୀନ ସହ ଟ୍ରେଡ ୱାର କାରଣରୁ ଆମେରିକା ସୋୟାବିନକୁ ଭାରତକୁ ରପ୍ତାନୀ କରିବାକୁ ଚାହିଁବ ।
ଏମିତି ସ୍ଥିତିର ମୁକାବିଲା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଏକ ହେଲ୍ପଡେସ୍କ ଆରମ୍ଭ କରିଛନ୍ତି । ଏହାକୁ ଗ୍ଲୋବାଲ ଟାରିଫ ଆଣ୍ଡ ଟ୍ରେଡ ହେଲ୍ପଡେସ୍କ ନାମ ଦିଆଯାଇଛି । ଏହା ଜରିଆରେ ଉଦ୍ୟମ କରାଯିବ ଯେ,ଯେମିତି ଦେଶର ଆମଦାନୀ ବଢିବାକୁ ଦିଆ ଯିବନି ଏବଂ ଭାରତୀୟ ଉଦ୍ୟୋଗ ଏବଂ ଉତ୍ପାଦର ସ୍ଥିତି ମଜବୁତ ରହିବ । ଏହାକୁ ନେଇ ଚଳିତ ମାସ ଆରମ୍ଭରେ ମନ୍ତ୍ରଣାଳୟ ଏକ ବୈଠକ କରିଥିଲା । ଏଥିରେ ଟ୍ରେଡ ୱାରକୁ ନେଇ ଭାରତର ଆମଦାନୀ କେମିତି ବଢିପାରେ ଏହା ଉପରେ ବିଚାର ବିମର୍ଶ କରାଯାଇଛି ।