ନୂଆଦିଲ୍ଲୀ: ଗତ ଦିନରେ ସାମାଜିକ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ଚାଲିଥିଲା ଯେ, ସୁନା ଦର ୧୦ ଗ୍ରାମ ପିଛା ୫୦ ହଜାର ଟଙ୍କାକୁ ଖସି ଆସିବ । ମାତ୍ର ଏହାର ବୀପରିତ କିଛି ସପ୍ତାହରେ ସୁନା ଦାମ ଅହେତୁକ ବୃଦ୍ଧି ପାଇଛି । ଏବେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୋଲ୍ଡମ୍ୟାନ ସାକର ଏକ ରିପୋର୍ଟ ସାମ୍ନାକୁ ଆସିଛି ।
ଏଥିରେ କୁହାଯାଇଛି ଯେ, ସୁନାର ଦାମ ପ୍ରତି ଅନ୍ସ ୪୫୦୦ ଡଲାର ଅର୍ଥାତ ୧୦ ଗ୍ରାମ ପ୍ରତି ଏକ ଲକ୍ଷ ୩୬ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରେ । ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଓ ମାନ୍ଦାବସ୍ଥାର ଭୟ କାରଣରୁ ସୁନା ଦାମ ୨୦୨୫ ଶେଷ ସୁଦ୍ଧା ୧୦ ଗ୍ରାମ ପିଛା ଏକ ଲକ୍ଷ ୩୬ ହଜାର ଟଙ୍କା ଛୁଇଁପାରେ ।
ଇନଭେଷ୍ଟମେଣ୍ଟ ବ୍ୟାଙ୍କର ରିପୋର୍ଟ ଅନୁସାରେ ଚଳିତ ବର୍ଷ ସୁନା ଦର ଅନ୍ସ ପ୍ରତି ୩୭୦୦ ଡଲାର ଟାର୍ଗେଟ୍ ରଖାଯାଇଛି । ତୃତୀୟ ଥର ଗୋଲ୍ଡମ୍ୟାନ ସାକ ନିଜର ଗୋଲ୍ଡ ଟାର୍ଗେଟ୍ ପ୍ରାଇସରେ ବୃଦ୍ଧି କରିଛି । ମାର୍ଚ୍ଚ ମାସ ଆରମ୍ଭରେ ସୁନାର ଟାର୍ଗେଟ୍ ପ୍ରାଇସ ଅନ୍ସ ପ୍ରତି ୩୩୦୦ ଡଲାର ରଖା ଯାଇଥିଲା । ଗତ ସପ୍ତାହରେ ଗୋଲ୍ଡ ଇଟିଏଫ ପ୍ରଥମ ଥର ଅନ୍ସ ପିଛା ୩୨୦୦ ଡଲାର ସ୍ତର ଟପିଥିଲା । ବିଶ୍ୱସ୍ତରରେ ଉତ୍ତେଜନା ବଢିବା କାରଣରୁ ଗୋଲ୍ଡ ଇଟିଏଫ ଦର ଅନ୍ସ ପିଛା ୩୨୪୫.୬୯ ଡଲାରରେ ପହଞ୍ଚିଥିଲା ।
ଆଜି ବିଶ୍ୱ ବଜାରରେ ସୁନା ଦାମ ଅନ୍ସ ପିଛା ୦.୪ ପ୍ରତିଶତ ହ୍ରାସ ପାଇ ୩୨୨୩.୬୭ ଡଲାରରେ ଟ୍ରେଣ୍ଡ କରୁଛି । ସେହିପରି ୟୁଏଏସ ଗୋଲ୍ଡ ଫ୍ୟୁଚର ୦.୧ ପ୍ରତିଶତ ହ୍ରାସ ପରେ ଅନ୍ସ ପିଛା ୩୨୪୦.୯୦ ଡଲାରରେ ଟ୍ରେଣ୍ଡ କରୁଛି । ସୂଚନାଯୋଗ୍ୟ, କିଛି ଦିନ ଆଗରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ୧୦ ଗ୍ରାମ ପିଛା ସୁନା ୫୦ ହଜାରକୁ ହ୍ରାସ ପାଇପାରେ ।