ନୂଆଦିଲ୍ଲୀ: ଆମେରିକା ଚୀନ ସାମଗ୍ରୀ ଉପରେ ୨୪୫ ପ୍ରତିଶତ ଟାରିଫ ଘୋଷଣା କରିଛନ୍ତି । ଏ ପର୍ଯ୍ୟନ୍ତ ଆମେରିକା ୧୪୫ ପ୍ରତିଶତ ଶୁଳ୍କ ଲଗାଇଥିଲା । ମାତ୍ର ଚୀନ ମଧ୍ୟ ଜବାବ ଦେଇ ଆମେରିକୀୟ ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରିଥିଲା । ଆଉ ଆମେରିକା ପୁଣି ଥରେ ପାଲଟା ଜବାବ ଦେଇ ଟାରିଫକୁ ୧୦୦ ପ୍ରତିଶତ ଅଧିକ ବଢାଇ ୨୪୫ ପ୍ରତିଶତ କରି ଦେଇଛି । ଅନ୍ୟପଟେ ଆମେରିକା ବିଶ୍ୱର ଅନ୍ୟ ଦେଶଗୁଡିକୁ ଉଚ୍ଚ ଟାରିଫରୁ ୯୦ ଦିନର ଆଶ୍ୱସ୍ତି ଦେଇଛି ।
କୁହାଯାଉଛି ଏହି ଅବଧିରେ ଆମେରିକା ଅନ୍ୟ ଦେଶ ସହ ବାଣିଜ୍ୟ ଡିଲ୍ କରିପାରେ । ଭାରତ ଓ ଆମେରିକା ମଧ୍ୟରେ ପ୍ରଚ୍ଛଦପଟ୍ଟରେ ଟ୍ରେଡ ଡିଲ୍ ଉପରେ ବିଚାର ବିମର୍ଶ ଆରମ୍ଭ ହୋଇ ଯାଇଛି । ଏଥିପାଇଁ ମେ ମାସରୁ ଘନ ଘନ ବୈଠକ ଆରମ୍ଭ ହୋଇପାରେ । ଚୀନକୁ ନେଇ ଟ୍ରମ୍ପ ପ୍ରଶାସନର କହିବା କଥା ଆମେରିକା ଅନ୍ୟ ଦେଶର ସାମଗ୍ରୀ ଉପରେ କମ ଟ୍ୟାକ୍ସ ଲଗାଇଥାଏ । କିନ୍ତୁ ତାରି ସାମଗ୍ରୀ ଉପରେ ଚୀନ, ଭାରତ ସମେତ ଅନେକ ଦେଶ ମୋଟା ଟ୍ୟାକ୍ସ ଲଗାଇଥାନ୍ତି ।
ଏହାର ଜବାବରେ ଟ୍ରମ୍ପ ଟ୍ରେଡ ୱାର ଆରମ୍ଭ କରିଛନ୍ତି । ଅନେକ ଦେଶ ଯୋଗାଯୋଗ କରି ଏହା ଉପରେ ଆଲୋଚନା କରିବାକୁ ଆଗଭର ହେବାରୁ ଆମେରିକା ବିଶ୍ୱର ୯୦ ଦେଶକୁ ୯୦ ଦିନର କୋହଳ ଦେଇଛନ୍ତି । ଏହାରି ଆଧାରରେ ଏସବୁ ଦେଶର ସାମଗ୍ରୀ ଉପରେ ମାତ୍ର ୧୦ ପ୍ରତିଶତ ଟାରିଫ ଲାଗିବ । କିନ୍ତୁ ଚୀନ ନିଜର ଜିଦଖୋର ମବୋଭାବ କାରଣରୁ ଆଜି ଏହି ସ୍ଥିତି ଉପୁଜିଛି । ତେଣୁ ଚୀନକୁ ଉଚିତ ଜବାବ ଦେବା ପାଇଁ ତାର ସାମଗ୍ରୀ ଉପରେ ୨୪୫ ପ୍ରତିଶତ ଶୁଳ୍କ ଲଗାଯାଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି ।