ନୂଆଦିଲ୍ଲୀ: ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ହ୍ୱାଟସଆପ୍ ଏବେ ଆମେରିକୀୟ ଧନୀ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଅଧୀନରେ ପରିଚାଳିତ ହେଉଛି। ତେବେ ଏଇ ଦୁଇ କମ୍ପାନୀକୁ ସେ ବିକ୍ରି କରିବାକୁ ବାଧ୍ୟ ହୋଇପାରନ୍ତି। ୨୦୨୦ରେ ତାଙ୍କ କମ୍ପାନୀ ଫେସବୁକ୍ ନାଁରେ ପ୍ରତିଯୋଗିତାକୁ ପ୍ରଶୟ ଦେଉନଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା, ତାହା ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପାଳି ସମୟ। ତେବେ ସେଇ ମାମଲାରୁ ଶୁଣାଣୀ ଏବେ ଆରମ୍ଭ ହେବାକୁ ଯାଉଛି। ଯଦି ରାୟ ଜୁକରବର୍ଗଙ୍କ ବିପକ୍ଷରେ ଯିବ, ତେବେ ତାଙ୍କୁ ଉଭୟ ହ୍ୱାଟସଆପ୍ ଓ ଇନଷ୍ଟ୍ରାଗ୍ରାମକୁ ବିକ୍ରି କରିବା ଲାଗି କୁହାଯାଇପାରେ।
ମେଟା ବିରୋଧରେ ଅଭିଯୋଗ ରହିଛି ଯେ, ପ୍ରତିଯୋଗିତାକୁ ଶେଷ କରିବା ଓ ନିଜର ଏକଚାଟିଆ ଆଧିପତ୍ୟ ବଜାୟ ରଖିବା ଲାଗି କମ୍ପାନୀ ୨୦୧୨ରେ ୧୦୦କୋଟି ଡଲାରରେ ଇନଷ୍ଟ୍ରାଗ୍ରାମ ଓ ୨୦୨୪ରେ ୨୨ଶହ କୋଟି ଡଲାରରେ ହ୍ୱାଟସଆପ୍ ର ଅଧିଗ୍ରହଣ କରିଥିଲା। ତେବେ ଏଇ ୨ କମ୍ପାନୀର ଅଧିଗ୍ରହଣ ପାଇଁ ଆମେରିକାର ଫେଡେରାଲ୍ ଟ୍ରେଡ୍ କମିସନ (ଏଫ୍ଟିସି) ଅନୁମତି ଦେଇଥିଲେ କିନ୍ତୁ ଏହି ଡିଲ୍ ର ପରିଣାମକୁ ଅନୁଶୀଳନ କରିବା ପରେ ଏହି ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା। ଏହି ମାମଲାର ଶୁଣାଣି ବେଳେ ମେଟା ସିଇଓ ମାର୍କ ଜୁକରବର୍ଗ ଓ କମ୍ପାନୀର ପୂର୍ବତନ ଚିପ୍ ଅପରେଟିଂ ସେରିଲ ସ୍ୟାଣ୍ଡବର୍ଗଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇପାରେ। ତେବେ ଏହି ଶୁଣାଣି ୬ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି।
ଅତୀତରେ ଜୁକରବର୍ଗ କହିଥିଲେ ଯେ, ବଜାରରେ ପ୍ରତିଦ୍ୱନ୍ଦିତା କରିବା ବଦଳରେ ପ୍ରତିଦ୍ୱନ୍ଦୀକୁ କିଣିନେବା ହିଁ ସବୁଠୁ ବଡ଼ ରଣନୀତି। ଏହି ମନ୍ତବ୍ୟ ତାଙ୍କ ବିପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ଜୁକରବର୍ଗଙ୍କ ୩ ସୋସିଆଲ ମିଡ଼ିଆ ଫେସବୁକ୍, ଇନଷ୍ଟାଗ୍ରାମ, ଓ ହ୍ୱାଟଆପ୍ ର ପ୍ରଭାବ ଏତେ ରହିଛି ଯେ, ସେହି କ୍ଷେତ୍ରରେ ଅନ୍ୟ ଛୋଟ କମ୍ପାନି ଗୁଡ଼ିକ ପାଇଁ ପ୍ରତିଦ୍ୱନ୍ଦିତାର କୌଣସି ସୁଯୋଗ ନାହିଁ।