ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଲଗାତାର ଦ୍ୱିତୀୟ ଥର ରେପୋ ରେଟ୍ ହ୍ରାସ କରି ସାଧାରଣ ଜନତାଙ୍କୁ ବଡ ଆଶ୍ୱସ୍ତି ଦେଇଛି । ଆରବିଆଇର ଅନୁଷ୍ଠିତ ମୁଦ୍ରା ନୀତି ସମୀକ୍ଷା ବୈଠକରେ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ କରାଯାଇ ୬ ପ୍ରତିଶତରେ ରଖିବାକୁ ନିର୍ଣ୍ଣୟ ନିଆଯାଇଛି । ଏହା ପୂର୍ବରୁ ଆରବିଆଇ ଗତ ଫେବୃଆରୀ ୭ ତାରିଖରେ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ କରି ୬.୨୫ ପ୍ରତିଶତ କରିଥିଲା । ୨୦୨୦ ମେ ପରେ ପ୍ରଥମ ଥର ରେପୋ ରେଟ୍ ହ୍ରାସ କରାଯାଇଥିଲା ।
ରେପୋ ରେଟ୍ କମିବାର ପ୍ରଭାବ ମଧ୍ୟବିତ୍ତ ଲୋକଙ୍କ ଉପରେ ଅଧିକ ପଡିଥାଏ । ରେପୋ ରେଟ୍ ହ୍ରାସ ପରେ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାକୁ ଆରବିଆଇଠୁ କମ ସୁଧରେ ଋଣ ମିଳିଥାଏ । ପ୍ରଭାବରେ ହୋମ ଲୋନ, ଅଟୋ ଲୋନ ଓ ପର୍ସନାଲ ଲୋନ ଉପରେ ସୁଧ ହ୍ରାସ ପାଇଥାଏ । ଆଉ ଲୋକଙ୍କ ଉପରେ ଇଏମଆଇ ବୋଝ କମିଥାଏ । ସବୁ ପ୍ରକାରର ଇଏମଆଇ କମିଲେ ଦେଶର ଅର୍ଥବ୍ୟବସ୍ଥାକୁ ଆହୁରି ଗତି ମିଳିଥାଏ ।
ରେପୋ ରେଟ୍ କଣ ?
ଆମେ ଯେବେ ବ୍ୟାଙ୍କରୁ ଲୋନ ଆଣିଥାଉ ତା ଉପରେ ଆମକୁ ସୁଧ ଦେବାକୁ ପଡିଥାଏ । ଏହି ପରି ବ୍ୟାଙ୍କକୁ କୌଣସି ଜରୁରୀ କାମ ପାଇଁ ଅର୍ଥର ଆବଶ୍ୟକତା ପଡିଥାଏ । ଆଉ ବ୍ୟାଙ୍କ ଗୁଡିକ ଆରବିଆଇଠୁ ଲୋନ ନେଇଥାନ୍ତି । ଏହି ଲୋନ ଉପରେ ବ୍ୟାଙ୍କ ଯେଉଁ ଦରରେ ଆରବିଆଇକୁ ସୂଧ ଦେଇଥାଏ ତାକୁ ରେପୋ ରେଟ୍ କୁହାଯାଏ । ସରଳ ଭାଷାରେ କହିବାକୁ ଗଲେ ଯେଉଁ ସୁଧରେ ଆରବିଆଇ ବ୍ୟାଙ୍କଗୁଡିକୁ ଲୋନ ଦେଇଥାଏ ତାକୁ ରେପୋ ରେଟ୍ କୁହାଯାଏ ।