ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସରେ କୋହଳ ପରେ ସାଧାରଣ ଜନତାଙ୍କୁ ଆଉ ଏକ ବଡ ଆଶ୍ୱସ୍ତି ମିଳିପାରେ । ଦରବୃଦ୍ଧି ମୋର୍ଚ୍ଚାରେ ମଧ୍ୟବିତ୍ତ ଓ ନିମ୍ନ ଆୟ ଶ୍ରେଣୀର ଲୋକଙ୍କ ପାଇଁ ଭଲ ଖବର ରହିଛି । ସରକାର ବସ୍ତୁ ଓ ସେବା କର(ଜିଏସଟି)ରେ ହ୍ରାସ କରି ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତି କରୁଛନ୍ତି । ଏକ ରିପୋର୍ଟ ମୁତାବକ କେନ୍ଦ୍ର ସରକାର ୧୨ ପ୍ରତିଶତ ଜିଏସଟି ସ୍ଲାବକୁ ପୂରା ହଟାଇ ପାରନ୍ତି କିମ୍ବା ସେଥିରେ ପରିବର୍ତ୍ତନ କରି ୫ ପ୍ରତିଶତ ସ୍ଲାବରେ ସାମିଲ କରିବାକୁ ଯୋଜନା କରିଛି ।
ଏନଡିଟିଭିର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ବଜେଟରେ ଇନକମ ଟ୍ୟାକ୍ସରେ କୋହଳ କରିବା ପରେ ଏବେ ଜିଏସଟି କରରେ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତି କରୁଛି । ସୂତ୍ର ଅନୁସାରେ, ଜିଏସଟି ସ୍ଲାବରେ ପୁନର୍ଗଠନ କରାଯାଇପାରେ । ଏହି ହିସାବରେ ୧୨ ପ୍ରତିଶତ ଜିଏସଟି ସ୍ଲାବକୁ ସଂପୂର୍ଣ୍ଣ ଭାବେ ହଟାଯାଇପାରେ କିମ୍ବା ୫ ପ୍ରତିଶତରେ ସାମିଲ କରାଯାଇପାରେ । ଏମିତି ହେଲେ ଟୁଥପେଷ୍ଟ, ଟୁଥ ପାଉଡର, ଛତା, ସିଲେଇ ମେସିନ,ପ୍ରେସର କୁକର ଓ ରୋଷେଇ ସରଞ୍ଜାମ, ଆଇରନ, ଗିଜର, ଛୋଟ କ୍ଷମତା ବିଶିଷ୍ଟ ୱାସିଂ ମେସିନ, ସାଇକେଲ୍, ହଜାରେରୁ ଅଧିକ ମୁଲ୍ୟର ରେଡିମେଟ୍ ବସ୍ତ୍ର, ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ଜୋତା, ଷ୍ଟେସନାରୀ ଆଇଟମ, ସିରେମିକ ଟାଇଲ ଓ କୃଷି ଉପକରଣ ଆଦି ଶସ୍ତା ହୋଇପାରେ । ଏଥିସହ ସରକାର ଏକ ସରଳ ଜିଏସଟି ସିଷ୍ଟମ ଉପରେ ମଧ୍ୟ ବିଚାର କରୁଛନ୍ତି ।
ଋିପୋର୍ଟ ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପରେ ସରକାରଙ୍କ ଉପରେ ୪୦ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କାର ବୋଝ ପଡିପାରେ । ଏହା ସତ୍ତ୍ୱେ କେନ୍ଦ୍ର ଏହି ଆର୍ଥିକ ବୋଝ ସମ୍ଭାଳିବା ପାଇଁ ପ୍ରସ୍ତୁତ । ଆଶା କରାଯାଉଛି ଅନେକ ସାମଗ୍ରୀ ଶସ୍ତା ହେବ ଏବଂ ଜିଏସଟି ସଂଗ୍ରହ ଅଧିକ ବଢିବ ।