ମୁମ୍ବାଇ: କେନ୍ଦ୍ର ସରକାରଙ୍କ ବଜେଟ୍-୨୦୨୪ ଆଜି ଆସିବା ପୂର୍ବରୁ ଭାରତୀୟ ସେୟାର ବଜାରେ ନିବେଶ କରୁଥିବା ବ୍ୟକ୍ତିମାନଙ୍କୁ ପୁଣି ଥରେ ଶକ୍ତ ଝଟକା ଲାଗିଛି। ସବୁଜ ସଂକେତ ଦେଇ ଖୋଲିଥିବା ସେନ୍ସେକ୍ସ ଲାଲ୍ ହୋଇ ୧୭୯ ପଏଣ୍ଟ ତଳକୁ ଖସିଛି। ସେନ୍ସେକ୍ସ ଓ ନିଫ୍ଟି ଆରମ୍ଭରୁ ଭଲ କାରବାର କରିଥିଲା। ସକାଳ ୧୦ଟା ୧୬ ମିନିଟରେ ଲାଲ ରଂଗରେ ପହଞ୍ଚି ଯାଇଥିଲା। ସେନସେକ୍ସ ୧୮୦.୮୫ ପଏଣ୍ଟ ଅଥବା ୦.୨୨ ପ୍ରତିଶତ ହ୍ରାସ ପାଇ ୮୦,୩୨୧.୨୩ ସ୍ତରରେ ପହଞ୍ଚି ଥିଲା। ନିଫ୍ଟ ୭୧.୫୫ ପଏଣ୍ଟ ଅର୍ଥାତ ୦.୨୯ ପ୍ରତିଶତ ହ୍ରାସ ପାଇ ୨୪,୪୩୭.୭୦ ସ୍ତରରେ ପହଞ୍ଚି ଥିଲା।
ଅନ୍ୟ ପଟରେ ଆଜି ଜୁଲାଇ ୨୩ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବେ ୭ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ସେୟାର ବଜାରରେ ତଳ-ଉପର ଦେଖିବାକୁ ମିଳିବାର ଆଶଙ୍କା ରହୁଛି।
ଗତକାଲି ସେୟାର ମାର୍କେଟ ହ୍ରାସ ପାଇଥିଲା। ସପ୍ତାହର ପ୍ରଥମ ଦିନ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ଆରମ୍ଭରୁ ୫୦୦ ପଏଣ୍ଟ ହ୍ରାସ ପାଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ୧୦୦ ପଏଣ୍ଟ ହ୍ରାସ ପାଇଥିଲା। ସୋମବାର ସେୟାର ବଜାରର ପ୍ରାରମ୍ଭ ଖରାପ ପ୍ରଦର୍ଶନ ରହିଥିଲା। ବିଏସ୍ସି ସେନସେକ୍ସ ଶେଷ ଥର ପାଇଁ ଗତ ସପ୍ତାହରେ ୮୦,୬୦୪.୬୫ ସ୍ତରରୁ ୨୦୦ ଅଙ୍କ ହ୍ରାସ ପାଇ ୮୦,୪୦୮.୯୦ ସ୍ତରରୁ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ୫ ମିନିଟରେ ୫୦୦ ଅଙ୍କ ହ୍ରାସ ପାଇ ୮୦, ୧୦୩.୭୭ ସ୍ତରରେ ପହଞ୍ଚି ଥିଲା। ସେନସେକ୍ସ ଭଳି ଏନ୍ଏସ୍ଇ ନିଫ୍ଟି ମଧ୍ୟ ଶେଷ ଥର ତୁଳନା ୨୪,୫୩୦.୯୦ ତୁଳନାରେ ୨୪,୪୪୫.୭୫ ସ୍ତରରୁ ବ୍ୟବସାୟ ଆରମ୍ଭ କରିଛି। ୧୪୭.୫୦ ଅଙ୍କ ହ୍ରାସ ପାଇ ୨୪,୩୮୩.୪୦ ସ୍ତରରେ ପହଞ୍ଚିଥିଲା।