ନୂଆଦିଲ୍ଲୀ/ମୁମ୍ବାଇ: ଟାଟା ସନ୍ସର ଦୂରଦର୍ଶୀ ଅଧ୍ୟକ୍ଷ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ବୁଧବାର ରାତିରେ ପରଲୋକ ହୋଇଯାଇଛି। ସେ ଏକ ଅବିସ୍ମରଣୀୟ ପରମ୍ପରା ଛାଡି ଯାଇଥିଲେ ଯାହା ଭାରତର କର୍ପୋରେଟ ଦୃଶ୍ୟପଟକୁ ବଦଳାଇ ଦେଇଥିଲା। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଦେଶର ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ଲେଖିଛନ୍ତି, ଏହା ଦୁଃଖଦ ସମୟ। ଭାରତ ଜଣେ ଦୂରଦର୍ଶୀଙ୍କୁ ହରାଇଛି, ଯିଏକି ଦେଶ ନିର୍ମାଣରେ ସ୍ମରଣୀୟ ଭୂମିକା ତୁଲାଇଥିଲେ। ପଦ୍ମଭୂଷଣ ଓ ପଦ୍ମବିଭୂଷଣପ୍ରାପ୍ତ ସ୍ବଗତଃ ରତନ ଟାଟାଙ୍କ ନେତୃତ୍ବରେ ଟାଟା କଂପାନି ବିଶ୍ବସ୍ତରରେ ନାମ କରିଥିଲା। ତାଙ୍କର ଆତ୍ମାର ସଦ୍ଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଉଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ୍ କରି କହିଛନ୍ତି, ରତନ ଟାଟାଙ୍କ ବିୟୋଗରେ ଦୁଃଖିତ। ଆମ ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଭାରତୀୟ ଶିଳ୍ପର ଜଣେ ଦକ୍ଷ ବ୍ୟକ୍ତି ଥିଲେ । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ରତନ ଟାଟା ଜଣେ ଦୂରଦର୍ଶୀ ଥିଲେ। ସେ ଉଭୟ ବ୍ୟବସାୟ ଏବଂ ପରୋପକାର କ୍ଷେତ୍ରରେ ଏକ ଅବିସ୍ମରଣୀୟ ଛାପ ଛାଡିଛନ୍ତି। ତାଙ୍କ ପରିବାର ଏବଂ ଟାଟା ସମ୍ପ୍ରଦାୟ ପ୍ରତି ମୋର ସମବେଦନା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରତନ ଟାଟାଙ୍କ ସୁବର୍ଣ୍ଣ ହୃଦୟର ଜଣେ ବ୍ୟକ୍ତି ଥିଲେ। ସେ ତାଙ୍କର ଜନହିତକର କାର୍ଯ୍ୟ ଏବଂ ବ୍ୟବସାୟ ଏବଂ ଉଦ୍ୟୋଗ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ। ସେ ଜଣେ ବିରଳ ବ୍ୟବସାୟୀ ଥିଲେ ଯିଏ, କି ସମାଜକୁ ଫେରାଇ ଦେବା ପାଇଁ ସର୍ବଦା ଉତ୍ସାହୀ ଥିଲେ। ସେ ସାରା ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ହୋଇ ରହିବେ। ତାଙ୍କ ପରଲୋକରେ ଗଭୀର ସମବେଦନା ଜଣାଉଛି। ଦୁଃଖର ଏହି ମୁହୂର୍ତ୍ତରେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ସହ ମୋର ସମବେଦନା ଏବଂ ପ୍ରାର୍ଥନା ରହିଛି। ଓମ୍ ଶାନ୍ତି!
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଦେଶର ମହାନ ପୁତ୍ର ରତନ ଟାଟା ଜୀଙ୍କ ବିୟୋଗ ଖବର ଶୁଣି ସ୍ତବ୍ଧ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ରତନ ଟାଟା ସହ ବହୁତ ଘନିଷ୍ଠ ପାରିବାରିକ ସମ୍ପର୍କ ରହିଛି। ଏତେ ବଡ଼ ବ୍ୟକ୍ତିଙ୍କ ସରଳତା, ତାଙ୍କର ସ୍ୱତଃସ୍ପୃତତା, ସାନକୁ ମଧ୍ୟ ସମ୍ମାନ ଦେବା, ଏହି ସବୁ ଗୁଣକୁ ମୁଁ ଅତି ନିକଟରୁ ଦେଖିଛି ଏବଂ ଅନୁଭବ କରିଛି । ମୁଁ ମୋ ଜୀବନରେ ତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଲି।
ଅଧିକ ପଢ଼ନ୍ତୁ: ପରଲୋକରେ ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା