ମୁମ୍ବାଇ: ବରିଷ୍ଠ ଶିଳ୍ପପତି ରତନ ଟାଟାଙ୍କର ପରଲୋକ ହୋଇଯାଇଛି। ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ରାତି ସାଢ଼େ ୧୧ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରତନ ଟାଟାଙ୍କ ବିୟୋଗ କେବଳ ଟାଟା ଗ୍ରୁପ୍ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ଼ କ୍ଷତି। ମୁଁ ଆଜି ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଛି ବୋଲି ଶ୍ରୀ ଅମ୍ବାନୀ କହିଛନ୍ତି।
ରତନ ଟାଟାଙ୍କ ବିୟୋଗରେ ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, ଏହା ଦେଶ ପାଇଁ ଏକ ଦୁଃଖଦ ଦିନ। ତାଙ୍କ ବିୟୋଗ କେବଳ ଟାଟା ଗ୍ରୁପ୍ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ଼ କ୍ଷତି। ମୁଁ ବ୍ୟକ୍ତିଗତ ଭାବରେ ତାଙ୍କ ବିୟୋଗରେ ଦୁଃଖିତ କାରଣ ମୁଁ ଜଣେ ଭଲ ବନ୍ଧୁଙ୍କୁ ହରାଇଛି। ସେ ମୋତେ ପ୍ରତ୍ୟେକ ସଭାରେ ପ୍ରେରଣା ଦେଇଥିଲେ, ମୋତେ ନୂତନ ଶକ୍ତି ଦେଇଥିଲେ। ସେ ଜଣେ ଦୂରଦର୍ଶୀ ବ୍ୟବସାୟୀ ଓ ସମାଜସେବୀ ଥିଲେ। ସେ ସବୁବେଳେ ସମାଜର ଉନ୍ନତି ପାଇଁ କାମ କରୁଥିଲେ।
ରତନ ଟାଟାଙ୍କ ବିୟୋଗରେ ଦେଶ ନିଜର ପୁତ୍ରକୁ ହରାଇଛି। ଟାଟା ସମଗ୍ର ବିଶ୍ୱ ସାମ୍ନାରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ। ଦୁନିଆର ଭଲ ଜିନିଷ ନେଇ ସେ ଭାରତ ଆସିଥିଲେ।
ରତନ ଟାଟା ଜଣେ ଦୂରଦର୍ଶୀ, ବ୍ୟବସାୟୀ ଓ ସମାଜସେବୀ ଥିଲେ, ଯିଏ କି ସବୁବେଳେ ଭାରତ ସମାଜର ମଙ୍ଗଳ ପାଇଁ କାମ କରୁଥିଲେ। ଟାଟା ଭାରତକୁ ବିଶ୍ୱ ସାମ୍ନାରେ ରଖି ବିଶ୍ୱର ଭଲ ଜିନିଷ ଭାରତକୁ ଆଣିଥିଲେ। ୧୯୯୧ରେ ଟାଟା ଗ୍ରୁପ୍ ହାତକୁ ନେବା ପରେ ସେ ଟାଟା ପରିବାରକୁ ଅନୁଷ୍ଠାନିକ ରୂପ ଦେଇଥିଲେ ଏବଂ ଏହାକୁ ୭୦ ଥର ବଢ଼ାଇଥିଲେ। ମୁଁ ଟାଟା ପରିବାରର ଶୋକସନ୍ତପ୍ତ ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଉଛି।
ଅଧିକ ପଢ଼ନ୍ତୁ: ଶେଷ ଦର୍ଶନ ପାଇଁ ଏନସିପିଏ ଲନ୍ରେ ରତନ ଟାଟାଙ୍କ ପାର୍ଥିବ ଶରୀର