ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସୁଧ ହାର ହ୍ରାସ କରିବାର ଉପଯୁକ୍ତ ସମୟ ଆସିନାହିଁ। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଏଥିରେ ଆଉ ହ୍ରାସ କରିବାର କୌଣସି ସୁଯୋଗ ନାହିଁ। ଏଭଳି ସ୍ଥିତିରେ ଆମେ ସୁଧ ହାର ହ୍ରାସ କରିପାରିବୁ ନାହିଁ। ଚଳିତ ମାସରେ ଅନୁଷ୍ଠିତ ମୁଦ୍ରାନୀତି କମିଟି (ଏମପିସି) ବୈଠକରେ ଆରବିଆଇ ସୁଧ ହାରସ୍ଥିର ରଖିବାକୁ ଘୋଷଣା କରିଥିଲା। ୟୁଏସ୍ ଫେଡ୍ ରିଜର୍ଭ ସୁଧ ହାର ହ୍ରାସ କରିବା ପରେ ସମସ୍ତେ ଆଶା କରିଥିଲେ ଯେ ଆରବିଆଇ ମଧ୍ୟ ଏହା କରିପାରେ। ତେବେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
ବ୍ଲୁମବର୍ଗ ଇଣ୍ଡିଆ କ୍ରେଡିଟ୍ ଫୋରମରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସୁଧ ହାର ହ୍ରାସ କରିବା ଦ୍ୱାରା ସଙ୍କଟ ସୃଷ୍ଟି ହୋଇପାରେ। ଏଥିପାଇଁ ଆମକୁ ମୁଦ୍ରାସ୍ଫୀତି ହାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ। ଯଦି ଆପଣଙ୍କର ଅର୍ଥନୈତିକ ଅଭିବୃଦ୍ଧି ହାର ଭଲ ଅଛି। ତେବେ ବର୍ତ୍ତମାନ ଏହାକୁ ବଦଳାଇବାର କୌଣସି ଆବଶ୍ୟକତା ନାହିଁ। ଯଦି ମୁଦ୍ରାସ୍ଫୀତି ହାର ପ୍ରାୟ ୪ ପ୍ରତିଶତ ରହେ, ତେବେ ଆମେ ସୁଧ ହାର ହ୍ରାସ କରିବାକୁ ଗମ୍ଭୀରତାର ସହ ବିଚାର କରିବୁ। ଏହାକୁ ନେଇ ଆମକୁ କଳ୍ପନା ଜଳ୍ପନା କରିବାର ଆବଶ୍ୟକତା ନାହିଁ। ଆମକୁ ଡାଟାକୁ ଅପେକ୍ଷା କରିବା ଉଚିତ୍।
ଶକ୍ତିକାନ୍ତ ଦାସଙ୍କ କହିବା ଅନୁଯାୟୀ, ମୁଦ୍ରାସ୍ଫୀତି ଦୃଷ୍ଟିରୁ ଆଗାମୀ ୬ ମାସ ଅତ୍ୟନ୍ତ ସମ୍ବେଦନଶୀଳ। ମୁଦ୍ରାସ୍ଫୀତି ୪ ପ୍ରତିଶତକୁ ଖସିଆସିବ ବୋଲି ଆମେ ଆଶାବାଦୀ। ପୂର୍ବରୁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର ୨୦୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ ରହିବ ବୋଲି ସଙ୍କେତ ଦେଇଥିଲେ। ଗତ ସପ୍ତାହରେ ଏମପିସି (ମୁଦ୍ରାନୀତି କମିଟି) କ୍ରମାଗତ ଦଶମ ଥର ପାଇଁ ସୁଧ ହାର ସ୍ଥିର ରଖିବାକୁ ଘୋଷଣା କରିଥିଲା। ସେବେଠାରୁ ଡିସେମ୍ବରରେ ହେବାକୁ ଥିବା ବୈଠକରେ ସୁଧ ହାର ହ୍ରାସ ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଥିଲା। ତେବେ ଆରବିଆଇ ଗଭର୍ଣ୍ଣର ଏବେ ସେଭଳି କୌଣସି ମୁଡ୍ରେ ନଥିବା ଜଣାପଡିଛି।
ବିଶ୍ୱର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର ହ୍ରାସ ପ୍ରସଙ୍ଗରେ ସେ କହିଛନ୍ତି ଯେ ଆମେ ବର୍ତ୍ତମାନ ଏହି ଦଳରେ ଯୋଗ ଦେବାକୁ ଚାହୁଁନାହୁଁ। ଆମେ ଅପେକ୍ଷା ଏବଂ ଦେଖିବା ମୋଡ୍ରେ ଅଛୁ। ଠିକ୍ ସମୟ ଆସିଲେ ହିଁ ଆମେ ନିଷ୍ପତ୍ତି ନେବୁ। ଅର୍ଥନୀତି ଉପରେ ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତିର ପ୍ରଭାବ ଦେଖିବାକୁ ମିଳୁଛି। କିନ୍ତୁ ଆମର ପ୍ରାଥମିକତା ହେଉଛି ଦେଶର ମୁଦ୍ରାସ୍ଫୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅର୍ଥନୀତି। ଏହାବ୍ୟତୀତ ଆମେ ବିନିମୟ ଦର ପରିଚାଳନା କରୁନାହୁଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆମେ ଆମର ଆବଶ୍ୟକତା ଅନୁଯାୟୀ ଡଲାର କ୍ରୟ ଓ ବିକ୍ରୟ କରୁ।
ଅଧିକ ପଢ଼ନ୍ତୁ: ତେଲେଙ୍ଗାନାରେ ମନ୍ଦିର ଉପରେ ଆକ୍ରମଣ