ନୂଆଦିଲ୍ଲୀ: ଦୀର୍ଘ ଆଠ ଦିନ ପରେ ଶେଷରେ ହରିୟାଣା କ୍ୟାଡର୍ ଆଇପିଏସ୍ ଅଧିକାରୀ ୱାଇ ପୂରନ କୁମାରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ପତ୍ନୀ ଲିଖିତ ଅନୁମତି ପ୍ରଦାନ କରିବା ପରେ ଶବ ବ୍ୟବଚ୍ଛେଦ ହୋଇଥିଲା । ଏହା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର ହୋଇଛି ।
ପୂରନଙ୍କ ପତ୍ନୀ ଆଇଏଏସ୍ ଅମନୀତ କୁମାର ଶବ ବ୍ୟବଚ୍ଛେଦ ପାଇଁ ବୁଧବାର ଅନୁମତି ପ୍ରଦାନ କରିଥିଲେ । ଏହା ପରେ ଶବ ଗୃହରୁ ତାଙ୍କ ଶରୀରକୁ ବାହାର କରାଯାଇ ମାଜିଷ୍ଟ୍ରେଟ୍ ଏବଂ ଫରେନସିକ୍ ଟିମ୍ ଉପସ୍ଥିତିରେ ଚଣ୍ଡିଗଡ଼ର ପିଜିଆଇରେ ବ୍ୟବଚ୍ଛେଦ କରାଯାଇଥିଲା । ପୋଷ୍ଟମର୍ଟମର ଭିଡ଼ିଓଗ୍ରାଫି ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୂରନ କୁମାର ପାର୍ଥିବ ଶରୀରକୁ ହସ୍ତାନ୍ତର କରାଯାଇଥିଲା । ହସ୍ପିଟାଲରୁ ପ୍ରଥମେ ବାସଭବନ ଏବଂ ପରେ ସେକ୍ଟର ୨୫ରେ ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର ହୋଇଥିଲା ।
ଗତକାଲି ଚଣ୍ଡିଗଡ଼ ପୋଲିସ ପୋଷ୍ଟମର୍ଟମ୍ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା । କିନ୍ତୁ ଅଦାଲତ କୌଣସି ଶୁଣାଣି କରିବା ପୂର୍ବରୁ ପରିବାର ବୁଧବାର ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଥିଲା ।
ଅନ୍ୟପକ୍ଷରେ ଗତକାଲି ଆତ୍ମହତ୍ୟା କରିଥିବା ଏଏସ୍ଆଇ ସନ୍ଦୀପ ଲାଠରଙ୍କ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ । ସନ୍ଦୀପ ସ୍ୱର୍ଗତ ଆଇପିଏସ୍ ପୂରନ କୁମାରଙ୍କ ଅଭିଯୋଗ ଆଣି ଆତ୍ମହତ୍ୟା କରିଛନ୍ତି । ସନ୍ଦୀପଙ୍କ ପରିବାର ପୂରନ କୁମାରଙ୍କ ପରିବାର ଭଳି ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଉ ନାହିଁ । ପ୍ରଥମେ ସନ୍ଦୀପଙ୍କ ମୃତ୍ୟୁରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ନଦେବା ଯାଏ ଶବ ବ୍ୟବଚ୍ଛେଦ ହୋଇପାରିବ ନାହିଁ ବୋଲି କହିଛନ୍ତି ।