ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଏବଂ ଇଲେକ୍ଟ୍ରି କାର ନିର୍ମାତା କଂପାନୀ ଟେସ୍ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ୍ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକସଭା ନିର୍ବାଚନରେ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି। ମସ୍କ କହିଛନ୍ତି, ତାଙ୍କର କଂପାନୀ ଭାରତରେ କାମ କରିବାକୁ ନେଇ ଉତ୍ସାହିତ ଅଛି।
ମସ୍କ ସାମାଜିକ ଗଣମାଧ୍ୟମ “ଏକ୍ସ’ରେ ପୋଷ୍ଟ କରି ମସ୍କ କହିଛନ୍ତି, ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବ ବୃହତ୍ ଗଣତନ୍ତ୍ରର ନିର୍ବାଚନରେ ବିଜୟ ଲାଭ କରିଥିବାରୁ ଶୁଭେଚ୍ଛା ଜଣାଉଛି । ମୋର କଂପାନୀ ଭାରତରେ କାମ କରିବାକୁ ନେଇ ଆଶାନ୍ୱିତ ଅଛି।
ଏହା ପୂର୍ବରୁ ଶୁକ୍ରବାର ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ସରକାର ଗଢ଼ିବାକୁ ମଧ୍ୟ ସେ ଦାବି ଜଣାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ମଧ୍ୟ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି। ସେ ରବିବାର କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୋଦୀଙ୍କ ନେତୃତ୍ୱରେ ଏନ୍ଡିଏ ୫୪୩ ଲୋକସଭା ଆସନରୁ ୨୯୩ଟିରେ ଜିତିଛି।
ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ଏଲନ୍ ମସ୍କ ଭାରତ ଗସ୍ତ ନେଇ ଘୋଷଣା କରିଥିଲେ। କିନ୍ତୁ ବ୍ୟକ୍ତିଗତ କାରଣରୁ ପରେ ସେ ଏହି ଗସ୍ତ ବାତିଲ କରିଦେଇଥିଲେ। ଗତବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ଆମେରିକା ଗସ୍ତ କରିଥିଲେ, ସେହି ସମୟରେ ତାଙ୍କୁ ମସ୍କ ଭେଟିଥିଲେ। ଅନ୍ୟପଟରେ ଟେସ୍ଲା କଂପାନୀ ତରଫରୁ ଗତବର୍ଷ ଜୁଲାଇ ମାସରେ କୁହାଯାଇଥିଲା, ସେ ୨୪୦୦୦ ଡଲାରର ମୂଲ୍ୟର ଇଭିର ଉତ୍ପାଦନ କରିବାକୁ ଭାରତରେ ଏକ କାରଖାନା ଖୋଲିବାକୁ ରୁଚି ରଖିଛନ୍ତି ।