ଅହମଦାବାଦ: ଦେଶବ୍ୟାପୀ ସୋମବାର ଅର୍ଥାତ ଜୁନ୍ ୩ ତାରିଖ ଠାରୁ ଅମୂଲ କ୍ଷୀର ମୂଲ୍ୟ ଲିଟର ପିଛା ୨ଟଙ୍କା ବୃଦ୍ଧି ପାଇଛି। ଅମୂଲ ଗୋଲ୍ଡ, ଅମୂଲ ଶକ୍ତି, ଅମୂଲ ଟି ସ୍ପେଶାଲ କ୍ଷୀର ଦର ବଢ଼ାଇ ଦିଆଯାଇଛି। ଏବେ ଅମୂଲ ଗୋଲ୍ଡର ଲିଟର ପିଛା ଦର ୬୪ରୁ ୨ ଟଙ୍କା ବଢ଼ି ୬୪ ଟଙ୍କା ହୋଇଯାଇଛି। ଅମୂଲ ଟି ଲିଟର ପିଛା ଦର ୬୨ରୁ ବଢ଼ି ୬୪ ଟଙ୍କା ହୋଇଯାଇଛି । ସେହିପରି ସ୍ପେଶାଲ ବର୍ଗର କ୍ଷୀର ୬୨ରୁ ୨ ଟଙ୍କା ବଢ଼ି ୬୪ ଟଙ୍କା କରିଦିଆଯାଇଛି। ଅମୂଲ କ୍ଷୀର ଦର ବୃଦ୍ଧି ପାଇଥିବାରୁ ଅମୂଲରୁ ଉତ୍ପାଦିତ ଅନ୍ୟ ସାମଗ୍ରୀ ଯଥା, ଆଇସ୍କ୍ରିମ, ଲସି, ଦହି, ରାବଡି, ପାଉଡର ଆଦିର ଦର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
ଅମୂଲ କ୍ଷୀରର ନୂଆ ଦର ନେଇ କଂପାନୀ କହିଛି, ବର୍ଦ୍ଧିତ ଦର ମାତ୍ର ୩ରୁ ୪ ପ୍ରତିଶତ, ଯାହାକି ଖାଦ୍ୟ ଦରବୃଦ୍ଧି ତୁଳନାରେ ବହୁତ କମ୍ । ୨୦୨୩ ଫେବ୍ରୁଆରିରୁ ଦର ବଢ଼ି ନଥିଲା । ଏଥି ପାଇଁ ଦରବୃଦ୍ଧି ଜରୁରୀ ଥିଲା । ଅମୂଲର ଦାବି ଯେ, କ୍ଷୀର ଉତ୍ପାଦନ ଓ ଅପରେଶନ ମୂଲ୍ୟ ବୃଦ୍ଧି ଯୋଗୁଁ ମୂଲ୍ୟ ବଢ଼ାଯାଇଛି । ଗତ ବର୍ଷ ଅମୂଲର କ୍ଷୀର ବ୍ୟବସାୟୀ ସଂଘ ଚାଷୀଙ୍କ ଦାମରେ ହାରାହାରି ୬ରୁ୮ ପ୍ରତିଶତ ବଢ଼ାଇଥିଲା । ଅମୂଲର ନୀତି ଅନୁସାରେ ଗ୍ରାହକ ଦେଉଥିବାର ୧ ଟଙ୍କାରୁ ୮୦ ପଇସା କ୍ଷୀର ଉତ୍ପାଦନକାରୀଙ୍କ ପାଖକୁ ଯାଇଥାଏ ।
ଦହି ଦର ମଧ୍ୟ ବୃଦ୍ଧି ପାଇଛି । କିନ୍ତୁ ଏନେଇ କୌଣସି ଅଧିକାରୀ ସୂଚନା ଦେଇନାହାନ୍ତି । ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ସଂଘ ନିଜର ବିତରକଭ୍କୁ ନୂଆ ଦୂରର ଏକ ତାଲିକା ପଠାଇଛି ।
ସୂଚନାଯୋଗ୍ୟ, ଅମୂଲ କ୍ଷୀର ଓ ଅମୂଲରୁ ଉତ୍ପାଦିତ ଅନ୍ୟ ସାମଗ୍ରୀ ପୂରା ଭାରତ ସମେତ ବିଦେଶରେ ମଧ୍ୟ ଚାହିଦା ରହିଛି । ୧୯୪୬ ଡିସେମ୍ବର ୧୪ରେ ପ୍ରତିଷ୍ଠ ହୋଇଥିବା ଅମୂଲ ପ୍ରତି ଆଜି ବି ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କର ବିଶ୍ୱାସ ରହିଛି । ସେଥି ପାଇଁ ଏହାର ସାମଗ୍ରୀ ଗ୍ରାହକଙ୍କୁ ଆକର୍ଷିତ କରିଥାଏ ।