ନୂଆଦିଲ୍ଲୀ: ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଲପକ୍ଷ ଦଶମୀ ତିଥିରେ ଗଂଗା ଦଶହରା ପାଳନ କରାଯାଇଥାଏ। ସନାତନ ଧର୍ମର ବିଶ୍ବାସ ଅନୁସାରେ, ନିଜର ପିତୃ ପୁରୁଷଙ୍କ ମୁକ୍ତି ପାଇଁ ଭାଗୀରଥ ଏହି ଦିନରେ ଗଂଗାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲେ। ସେହିଦିନ ଠାରୁ ଗଂଗା ଦଶହରାରେ ମା’ ଗଂଗାଙ୍କୁ ପୂଜା ଓ ଆସ୍ଥାର ବୁଡ଼ ପକାଇବାର ପରଂପରା ଚାଲିଆସିଛି। ଏହା କରିବା ଦ୍ବାରା ବହୁ ପୂଣ୍ୟ ମିଳିଥାଏ ବୋଲି ମଧ୍ୟ କୁହାଯାଇଥାଏ। ଗଂଗା ଦଶହାର ଦିନ ଗଂଗାରେ ଗାଧୋଇବା ଓ ଦାନ-ପୂଣ୍ୟ କରିବା ଶୁଭ ହୋଇଥାଏ। ଯଦି ଗଂଗା ଦଶହାରାରେ ଆପଣ ପବିତ୍ର ନଦୀରେ ଆସ୍ଥାର ବୁଡ଼ ପକାଇବାରେ ଅସମର୍ଥ, ତା’ହେଲେ ଘରେ ଏକ ଛୋଟ ଉପାୟ ମଧ୍ୟ କରିପାରିବେ।
ଗଂଗା ଦଶହରାରେ ପ୍ରତ୍ୟେକ ବ୍ୟକ୍ତି ପବିତ୍ର ନଦୀରେ ସ୍ନାନ କରିବାର ସୁଯୋଗ ପାଇପାରନ୍ତି ନାହିଁ। ଜ୍ୟୋତିଷବିଦ୍ଙ୍କ କହିବା ଅନୁସାରେ ଏହି ଅବସ୍ଥାରେ ଶ୍ରଦ୍ଧାଳୁ ଘରେ ଥାଇ ଶୀତଳ ଜଳରେ ସ୍ନାନ କରିପାରିବେ। ଜଳରେ କିଛି ଗଂଗାଜଳ ମିଶାଇପାରିବେ। ତୁଳସୀ ପତ୍ର ଦେବେ। ଏହା ପରେ ମା’ ଗଂଗାଙ୍କୁ ଧ୍ୟାନ କରି ସ୍ନାନ ଆରମ୍ଭ କରିବେ। ସ୍ନାନ ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବେ। ଶେଷରେ ମା’ ଗଂଗାଙ୍କ ମନ୍ତ୍ର ଜପ କରିବେ। ପୁଣି ଗରିବ ଅଥବା ବ୍ରାହ୍ମଣଙ୍କୁ ନିଜ ସମର୍ଥ ଅନୁସାରେ ଦାନ କରିବେ।
କୁହାଯାଇଥାଏ ଯେ, ଜ୍ୟେଷ୍ଠ ଶୁକ୍ଲପକ୍ଷ ଦଶମୀ ତିଥିରେ ମା’ ଗଂଗାଙ୍କ ପୃଥିବୀ ପୃଷ୍ଠରେ ଅବତରଣ ହୋଇଥିଲା। ତେଣୁ ଏହି ଦିନ ଗଂଗା ସ୍ନାନ, ଗଂଗା ଜଳର ପ୍ରୟୋଗ ଓ ଦାନ କରିବା ଦ୍ବାରା ବହୁ ପୂଣ୍ୟ ମିଳିଥାଏ। ଏହି ଦିନ ଗଂଗାଙ୍କୁ ଆରାଧନା କରାଯିବା ଦ୍ବାରା ପାପ ମୋକ୍ଷା ହୋଇଥାଏ। ଚଳିତ ବର୍ଷ ଜୁନ ୧୬ରେ ଗଂଗା ଦଶହରା ପାଳନ କରାଯାଉଛି।
ଗଂଗା ଦଶହରା ଦିନ କୌଣସି ପବିତ୍ର ନଦୀ ଅଥବା ଗଂଗା ନଦୀରେ ସ୍ନାନ କରନ୍ତୁ। ତେଲ ଓ ଗୁଡ଼ରେ ଘିଅ ମିଶାଇ ଜଳରେ ଭସାନ୍ତୁ। ଏହା ପରେ ମା’ ଗଂଗାଙ୍କୁ ଧ୍ୟାନ କରିବା ସହିତ ପୂଜା କରନ୍ତୁ। ଗଂଗା ମା’ଙ୍କ ଜପ କରନ୍ତୁ। ପୂଜାରେ ୧୦ଟି ଜିନିଷ ବ୍ୟବହାର ହେବା ଉଚିତ। ଦଶ ଦୀପ ଜାଳନ୍ତୁ ଓ ଦଶ ବ୍ରାହ୍ମଣଙ୍କୁ ଦାନ କରନ୍ତୁ।
ଗଂଗା ହେଉଛି ଭାରତରେ ପ୍ରବାହିତ ଏକ ପବିତ୍ର ନଦୀ। ଏହା ଉତ୍ତରାଖଣ୍ଡର ଗଂଗୋତ୍ରୀରୁ ବାହାରିଛି। ଭାରତର ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦେଇ ଏହି ପବିତ୍ର ନଦୀ ପ୍ରବାହିତ ହୋଇଛି। ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ପବିତ୍ର କୁହାଯାଇଥାଏ। ହିନ୍ଦୁ ଧର୍ମରେ ଗଂଗା ନଦୀକୁ ମା’ଙ୍କ ସହିତ ତୁଳନା କରାଯାଇଥାଏ। ଆହୁରି ମଧ୍ୟ କୁହାଯାଇଥାଏ ଯେ, ଗଂଗା ଜଳ ପୂଣ୍ୟ ଦେଇଥାଏ ଓ ପାପକୁ ବିନାଶ କରେ।
ପୌରାଣିକ କଥା ଅନୁସାରେ ଗଂଗା ଶ୍ରୀ ବିଷ୍ଣୁ ଚରଣରେ ଥିଲେ। ଭାଗୀରଥଙ୍କ ତପସ୍ୟା ଦ୍ବାରା ଭଗବାନ ଶିବ ଏହାକୁ ନିଜର ଜଟରେ ଧାରଣ କରିଥିଲେ। ପୁଣି ଶିବ ନିଜ ଜଟକୁ ୭ ଧାରାରେ ଭାଗ କରିଥିଲେ। ଏହି ଧାରାଗୁଡ଼ିକ ହେଲା- ନଳିନୀ, ହୃଦିନୀ, ପାବନୀ, ସୀତା, ଚକ୍ଷୁଷ, ସିନ୍ଧୁ ଓ ଭାଗିରଥୀ। ଶେଷରେ ଭାଗିରଧୀ ହିଁ ଗଂଗା ହୋଇଥିଲେ ଏବଂ ହିନ୍ଦୁଧର୍ମରେ ମୋକ୍ଷଦାୟିନୀ ହୋଇଥିଲେ।