୭ମାସରେ ୫୫ଲିଟର ନିଜ କ୍ଷୀର ଦେଇ ରେକର୍ଡ ରଚିଲେ ଏହି ମହିଳା
Khabar Odisha:Tamil-Nadu-woman-created-record--after-donating-55-litres-of-breast-milk

କୋଏମ୍ବାଟୁରର ଜଣେ ମହିଳା ନିଜ ଝିଅ ଜନ୍ମର ୧୦୦ ଦିନ ପରେ ଅନ୍ୟ ନବଜାତ ଶିଶୁ ମାନଙ୍କ ପାଇଁ ନିଜ କ୍ଷୀର ଦାନ କରି ନୂଆ ରେକର୍ଡ ହାସଲ କରିଛନ୍ତି । ଶିଶୁ ମାନଙ୍କ ପାଇଁ ଅମୃତ କୁହାଯାଉଥିବା ବ୍ରେଷ୍ଟ ମିଲକ  ନବଜାତ ଶିଶୁ ମାନଙ୍କ ପାଇଁ ରକ୍ଷା କବଚ ହୋଇଥିବା ବେଳେ ଅନେକ ଶିଶୁଙ୍କୁ ଏହା ମିଳିପାରିନଥାଏ । ଏହି ଆବଶ୍ୟକତା ପୂରଣ କରିବା ପାଇଁ ତାମିଲନାଡୁ କୋଏମ୍ବାଟୁର ଜିଲ୍ଲାର ଏହି  ୨୯ ବର୍ଷ ବୟସ୍କା ମହିଳା  ଟି ସିନ୍ଧୁ ମୋନିକା  ସାମାଜିକ ସଂଗଠନ ଅମୃତମ ବ୍ରେଷ୍ଟ ମିଲକ ସଂସ୍ଥା ସହିତ ସମ୍ପର୍କ ରକ୍ଷାକରି ନିୟମିତ ବ୍ୟବଧାନରେ ନିଜ କ୍ଷୀର ଦାନ କରିବା ପାଇଁ ଆଗେଇ ଆସିଛନ୍ତି । ମୋନିକା ୨୦୧୧ରୁ ନବଜାତ ଶିଶୁ ଯତ୍ନ ଗୃହ (ଏନଆଇ ସି ୟୁ )କୁ କ୍ଷୀର ଦେଇଆସୁଛନ୍ତି । ୨୦୨୨ଏପ୍ରିଲ ସୁଦ୍ଧା ସେ ୫୫ ଲିଟର କ୍ଷୀର ଦେଇଥିବା ବେଳେ ଏହି କ୍ଷୀର ୧୪୦୦ ଶିଶୁଙ୍କୁ ଦିଆଯାଇଥିବା କୋଏମ୍ବାଟୁର ମେଡିକାଲ ପକ୍ଷରୁ ଜଣାପଡିଛି । ମୋନିକାଙ୍କ ଏଭଳି ପ୍ରୟାସକୁ ପ୍ରଶଂସା ପୂର୍ବକ ଏସିଆନ ବୁକ ରେକର୍ଡ ଓ ଇଣ୍ଡିଆନ ବୁକ ଅଫ ରେକର୍ଡ ପ୍ରଦାନ କରାଯାଇଛି ।

ଇଞ୍ଜନିୟରିଂରେ ସ୍ନାତ୍ତକ ମୋନିକାଙ୍କ ସ୍ୱାମୀ ମହେଶ୍ୱରନ  ବୃତ୍ତିରେ ଜଣେ ପ୍ରଫେସର । ସେ ନିଜ ପତ୍ନୀଙ୍କୁ ବିଭିନ୍ନ ସାମାଜିକ ଲୋକ କଲ୍ୟାଣ କାର୍ଯ୍ୟରେ ଅଂଶ ଗ୍ରହଣ ପାଇଁ ସମର୍ଥନ କରିଥାଆନ୍ତି । ମୋନିକା ଯେତେବେଳେ ଜନନୀ ହେଲେ ସେତେବେଳେ ସେ ସ୍ଥନୀପାନ ବାବଦରେ ଅନେକ ସୂଚନା ପାଇଥିଲେ । ମା କ୍ଷୀର ଅଭାବରୁ ଅନେକ ଶିଶୁ ଅବେଳରେ ଲେଉଟିଯାଉଥିବା ଶୁଣିବା ପରେ ସେ କ୍ଷୀର ବ୍ୟାଙ୍କକୁ ନିଜ କ୍ଷୀର ଦାନ କରିବା ଦିଗରେ ରାଜି ହୋଇଥିଲେ ।

ଦେଶରେ ରହିଛି ମୋଟ ୭୦ ଟି ମା କ୍ଷୀର ବ୍ୟାଙ୍କ । ଏଥିରୁ କେବଳ ତାମିଲନାଡୁରେ ରହିଛି ୪୫ । କୋଏମ୍ବାଟୁର ମେଡିକାଲ ରହିଛି ସବୁଠୁ ଶୀର୍ଷରେ । ଏଠାରେ ମା ମାନଙ୍କ ଠାରୁ ସଂଗୃହିତ କ୍ଷୀର ସୁରକ୍ଷିତ ଭାବେ ରଖାଯାଇଥାଏ । ପରେ ଏହା ଅନ୍ୟ ଶିଶୁଙ୍କ ପାଇଁ ଅମୃତ ପାଲଟେ ।  ୭ ମାସ ମଧ୍ୟରେ ଏଭଳି ଭାବେ ୫୫ ଲିଟର ନିଜ କ୍ଷୀର ଅନ୍ୟ ଶିଶୁ ମାନଙ୍କ ପାଇଁ ଯୋଗାଇ ଦେଇ ୧୪୦୦ ଶିଶୁଙ୍କ ମା ପାଲଟିଛନ୍ତି ମୋନିକା । ଯାହାକୁ ନେଇ ଚାରିଆଡେ ତାଙ୍କର କରାଯାଉଛି ପ୍ରଶଂସା ।

Subscribe

National International State Sports Entertainment