ଗୁଜରାଟ: ଲଗାଣ ବର୍ଷାରେ ୩ ଦିନ ଧରି ଫସିଥିବା ୩୦ ଓଡ଼ିଆଙ୍କୁ ଉଦ୍ଧାର କଲା ବାୟୁସେନା
Khabar Odisha:State-odisha-30-odia-people-rescued-in-flood-situation-in-navasari-of-gujrat-state
ଭୁବନେଶ୍ଵର,ଅଗଷ୍ଟ୦୪(ଖବର ଓଡ଼ିଶା):

ମହାରାଷ୍ଟ୍ର ସହିତ ଗୁଜରାତରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ସୁରତ, ଭଦୋଦରା, ନବସାରିରେ ବର୍ଷାରେ ଜନଜୀବନ ବେହାଲ ହୋଇ ପଡ଼ିଛି। ନବସାରିରେ ଚାରି ଆଡେ ଖାଲି ପାଣି ହିଁ ପାଣି ଭରି ରହିଛି। ସେଠାରେ କାମ କରୁଥିବା ଓଡ଼ିଶାର ଲୋକଙ୍କୁ ମଧ୍ୟ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ନବସାରି ଜିଲ୍ଲାର ମେନ୍ଧର ଗାଁରେ ତିନି ଦିନ ଧରି ଫସି ରହିଥିବା ୩୦ ଓଡ଼ିଆ ସମେତ ୩୨ ଜଣଙ୍କୁ ରବିବାର ବାୟୁସେନା ଉଦ୍ଧାର କରିଛି। 

ବନ୍ୟାରେ ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ବାୟୁସେନାର ୨ ହେଲିକପ୍ଟରକୁ ମୁତୟନ କରାଯାଇଛି। ସୂଚନା ମୁତାବକ, ଲଗାଣ ବର୍ଷା କାରଣରୁ ଗୁଜରାଟର ନବସାରିରେ ୩ ଦିନ ଧରି ୩୦ ଓଡ଼ିଆ ଫସି ରହିଥିଲେ। ଏହାର ସୂଚନା ମିଳିବା ପରେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ବାୟୁସେନାର ହେଲିକପ୍ଟର ଯୋଗେ ୩୦ ଓଡ଼ିଆ ସମେତ ୩୨ ଜଣଙ୍କୁ ପ୍ରଶାସନ ଉଦ୍ଧାର କରିଛି। ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପରେ ସୁରତ ବିମାନକୁ ଅଣାଯାଇଛି।

ଉଲ୍ଲେଖଯୋଗ୍ୟ, ଗୁଜରାତରେ ଗତ କିଛି ଦିନ ହେବ ମୌସୁମୀ ସକ୍ରିୟ ରହିଛି। ଦକ୍ଷିଣ ଗୁଜରାଟ ଓ ଉତ୍ତର ଗୁଜରାଟରେ ପ୍ରବଳ ବର୍ଷା  ଲାଗି ରହିଛି। ସେଠାରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅଲର୍ଟ ଜାରି କରିଛି। ଏହା ସହିତ ଅବସ୍ଥା ଆହୁରି ବିଗିଡ଼ିବାର ଆଶଙ୍କା ପ୍ରକାଶ କରାଯାଇଛି।

Subscribe

National International State Sports Entertainment