ଜାମ୍ମୁ ଓ କାଶ୍ମୀର: ହନ୍ଦଓ୍ଵାଡ଼ାରେ ଗୁଳି ବିନିମୟ, ସେନାର କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କୀ ନିହତ
Khabar Odisha:LeT-terrorists-Encounter-in-Kupwara

ଶ୍ରୀନଗର,ମେ୧୪(ଖବର ଓଡ଼ିଶା): ଜାମ୍ମୁ ଓ କାଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାର ହନ୍ଦଓ୍ଵାଡ଼ା ଇଲାକାରେ ରବିବାର ସକାଳେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସକାଳେ ବାରିପୋରା ଇଲାକାରେ ଲସ୍କର ଏ ତୋଇବାର  କିଛି ଆତଙ୍କବାଦୀ ଛପି ରହିଥିବାର ଗୁପ୍ତ ସୂଚନା ମିଳିବା ପରେ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା। ଆତଙ୍କବାଦୀଙ୍କଠୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି। ବାକି ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନା ଅନୁସାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଭୋର ସକାଳ ପ୍ରାୟ ସାଢ଼େ ୩ଟାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ସେନା ଲସ୍କରର ୨ ଆତଙ୍କବାଦୀକୁ ନିହତ କରିଛନ୍ତି। ଶୋପିଆଁ ଇଲାକାରେ ଆର୍ମି ଅଫିସର ଲେଫ୍ଟନାଣ୍ଟ ଉମର ଫୟାଜଙ୍କ ହତ୍ୟା ପରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଶନିବାର ଆର୍ମି କହିଛନ୍ତି ଯେ ଦକ୍ଷିଣ କାଶ୍ମୀରରେ ପ୍ରାୟ ୧୦୦ରୁ ଅଧିକ ଆତଙ୍କବାଦୀ ଛପି ରହିଛନ୍ତି। ଏହି ଆତଙ୍କୀକୁ ଧରିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଇତି ମଧ୍ୟରେ ଆର୍ମି ୭ ଆତଙ୍କବାଦୀଙ୍କୁ ଧରିଛନ୍ତି।

ଏଠାରେ  ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୬ରେ  ଦକ୍ଷିଣ କାଶ୍ମୀରର ପୁଲଗାମ ଜିଲ୍ଲାରେ ସୁରକ୍ଷା ବଳ ଓ ହିଜିବୁଲ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୨ ହିଜିବୁଲ ଆତଙ୍କୀ ନିହତ ହୋଇଥିଲେ। ଏହିପରି ମାର୍ଚ୍ଚ ୫ରେ କାଶ୍ମୀରର ତ୍ରାଲରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କୀ ନିହତ ହୋଇଥିଲେ। ଏଥିରେ ଜଣେ ପୋଲିସ ଯବାନ ସହିଦ ହୋଇଥିଲେ। 

  • Tags:

Subscribe

National International State Sports Entertainment