ଲଡୁଗାଁ ପରେ ଆଖପାଖ ଅଞ୍ଚଳକୁ ବ୍ୟାପିଲା ଡେଙ୍ଗୁ, ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି
Khabar Odisha:Dengue-diseases-Spread-in-Kalahandi-Odisha
କଳାହାଣ୍ଡି, ଅଗଷ୍ଟ ୧୪ (ଖବର ଓଡ଼ିଶା):

କଳାହାଣ୍ଡି କୋକସରା ବ୍ଲକ ଲଡୁଗାଁ ପରେ ଆଖପାଖ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି। ଲଡୁଗାଁର ନିକଟବର୍ତୀ ଅଏଁଲା ଗାଁରେ ରକ୍ତନମୂନା ପରୀକ୍ଷା ପରେ ୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେଠାକାର ଅଞ୍ଚଳରେ ଆଉ ୧୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ କର୍ମୀମାନେ ଘରଘର ବୁଲି ସଂଗ୍ରହ କରିଥିବା ୫୯ ଜଣଙ୍କ ରକ୍ତ ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି। ଧିରେ ଧିରେ ଏହି ରୋଗ ଚାରିଆଡେ ବ୍ୟାପୁଥିବରୁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି। ଆକ୍ରାନ୍ତମାନେ ବିଶାଖାପାଟଣା, ରାୟପୁର, ଭବାନୀପାଟଣାକୁ ଯାଇ ଚିକିତ୍ସିତ ହେଉଛନ୍ତି। 

ଗାଁ ଗୁଡିକରେ ପରିମଳ ଅବସ୍ଥା ବିପର୍ଯ୍ୟୟ ହୋଇ ପଡିଥିବାରୁ ଘଟଣାସ୍ଥଳକୁ ଜିଲ୍ଲାପାଳ, ଏଡିଏମ ଓ ସିଡିଏମଓ ପହଞ୍ଚି ରାତାରାତି ଗାଁରେ ଜମି ରହିଥିବା ଅଳିଆ ଆବର୍ଜନାକୁ ବାହାର କରିଛନ୍ତି । ଚାରି ଦିନ ପୂର୍ବରୁ ଗାଁରେ ପ୍ରତିଶେଧକ ଟୀକା ବ୍ୟବସ୍ଥା ଆରମ୍ଭ କରାଯାଇଛି। ଗାଁରେ ଅସ୍ୱାସ୍ଥ୍ୟକର ପରିସ୍ଥିତି ପାଇଁ ଡେଙ୍ଗୁ ବ୍ୟାପୁଥିବା ଜଣାପଡିବା ପରେ ବିଭିନ୍ନ ସ୍ଥାନରେ ଔଷଧ ସିଂଚନ କରାଯାଇଛି। ଧର୍ମଗଡ ଏନଏସିର ଏକ ଟିମ୍ ସେଠାରେ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ପରିବେଶ ପରିଷ୍କାର ରଖିବାକୁ ପରାମର୍ଶ ଦିଆଯିବା ସହ ମଶାରୀ ଟାଙ୍ଗୀ ଶୋଇବାକୁ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ସଚେତନ କରାଉଛନ୍ତି ।

ତେବେ ନିକଟରେ ଥିବା ଏକ ରାଇସ ମିଲର ବର୍ଜ୍ୟବସ୍ତୁ ନିଷ୍କାସନ ଦ୍ୱାରା ସେଠାରେ ପରିବେଶ ଦୂଷିତ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଏହାକୁ ବନ୍ଦ କରିବା ନେଇ ସାଧାରଣରେ ଦାବି ହୋଇଛି ।

ପ୍ରକାଶ ଥାଉ କି,  ରାଜ୍ୟରେ ଏଯାବତ୍ ୧,୧୮୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଏହି ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲାର କିଛି ଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହି ସ୍ଥାନ ମାନଙ୍କରେ ୫ଟି ଡକ୍ତରୀ କ୍ୟାମ୍ପ କରାଯାଇ ରୋଗୀଙ୍କ ମାଗଣାରେ ଚିକିତ୍ସା କରାଯାଉଛି। ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେଙ୍ଗୁ ପାଇଁ ଆଲର୍ଟ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗତକାଲି ସୂଚନା ଦେଇଥିଲେ । 

  • Tags:

Subscribe

National International State Sports Entertainment