ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ଓଡିଶାକୁ ସ୍ୱୀକୃତି
Khabar Odisha:
ଭୁବନେଶ୍ୱର, ୦୬ ଅକ୍ଟୋବର(ଖବର ଓଡ଼ିଶା):

 ସ୍ୱାସ୍ଥ୍ୟସେବା ସଂପର୍କିତ ବିଭିନ୍ନ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଓଡିଶାକୁ ସ୍ୱତନ୍ତ୍ର ସ୍ୱୀକୃତି ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ୍ସପ୍ରେସ୍ ହେଲଥକେୟାର ସଭାରେ ଗତକାଲି ଓଡିଶାକୁ ଏହି ସମ୍ମାନ ମିଳିଛି। ଦେଶର ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଦର୍ଶିତ ଉପଲବ୍ଧିକୁ ଆଧାର କରି କେରଳ, ଝାଡଖଣ୍ଡ, ତାମିଲନାଡୁ ଓ ଆସାମ ଆଦି ରାଜ୍ୟ ପୁରସ୍କୃତ ହୋଇଥିବା ବେଳେ ଓଡିଶା ସ୍ୱାସ୍ଥ୍ୟ ସଂପର୍କିତ ବିଭିନ୍ନ ସୂଚାକାଙ୍କରେ ଦୃଷ୍ଟାନ୍ତ ମୂଳକ ସଫଳତା ଅର୍ଜନ କରିଥିବାରୁ ଉପରୋକ୍ତ ସ୍ୱତନ୍ତ୍ର ସ୍ୱୀକୃତି ପୁରସ୍କାର ପାଇଛି। ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ୍ ଆୟୋଜିତ ଏହି ସମାବେଶରେ ନୀତି ଆୟୋଗ ସଦସ୍ୟ ତଥା ଭାରତୀୟ ମେଡିକାଲ କାଉନସିଲର ପରବର୍ତ୍ତୀ ଅଧ୍ୟକ୍ଷ ଡଃ ଭି.କେ. ପଲ୍ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ସୁଜାତା ରାଓଙ୍କ ସମେତ ତାମିଲନାଡୁ, ଝାଡଖଣ୍ଡ ଓ ଗୁଜୁରାଟ ଇତ୍ୟାଦି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଯତ୍ନ ବଳରେ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧିତ ବିଭିନ୍ନ କ୍ଷେତ୍ରରେ ସୂଚକାଙ୍କରେ ସଫଳ ପ୍ରଦର୍ଶନ ନିମନ୍ତେ ଏପରି ସମ୍ମାନ ମିଳିଛି । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଗତ କାଲି ନୂଆଦିଲ୍ଲୀର ଉକ୍ତ ସମାବେଶରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । 

Subscribe

National International State Sports Entertainment