ଅଖ୍ୟାତ କନ୍ଦି ଗାଁ ବିଖ୍ୟାତ
Khabar Odisha:Swach-Bharat-impact-in-Kandigaon-village
ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତର ଛୋଟ ଏକ ଗାଁ ରାଜ୍ୟ ପାଇଁ ଆଣି ପାରିଛି ବଡ ଗୌରବ । ୟୁନିସେଫ୍‌ର ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଗ୍ରାମବାସୀଙ୍କୁ ସାଧୁବାଦ ଜଣାଇଛନ୍ତି । ରାତାରାତି ଅଖ୍ୟାତ ଗାଁଟି ବିଖ୍ୟାତ ହେବା ପଛରେ ରହିଛି ଲୋକଙ୍କ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ।
 
ଦିନେ ରାସ୍ତା କଡରେ ଝାଡା ଫେରିବାକୁ ନେଇ ଗାଁଟିର ଅପଖ୍ୟାତି ଥିଲା । ଗାଁ ମୁଣ୍ଡ ସ୍କୁଲ ଠାରୁ କାକୁଡିଆ ବନ୍ଧ ଶେଷ ପର୍ଯ୍ୟନ୍ତ ଦୁର୍ଗନ୍ଧରେ ନାକ ଫାଟୁଥିଲା । ଯିବା ଆସିବା କରୁଥିବା ପଥିକ ନାକରେ ଲୁଗା ଦେଇ ରାସ୍ତା ପାରି ହେଉଥିବା ଦେଖି ଗାଁରେ ଚର୍ଚ୍ଚା ହେଲା । 
 
ଯୁବକମାନେ ସ୍ୱଚ୍ଛ ଗାଁର ଚିତ୍ର ଆଙ୍କିଲେ । ରାସ୍ତାକଡରେ ଝାଡା ଫେରିବା ବନ୍ଦ କରିବାକୁ ହେଲେ ପ୍ରତି ପରିବାରରେ ଶୌଚାଳୟ ନିର୍ମାଣର ଆବଶ୍ୟକତା ଦର୍ଶାଇଥିଲେ । ସ୍ୱଚ୍ଛ ଭାରତ ମିଶନରେ ଏଥିପାଇଁ ମିଳୁଥିବା ସହାୟତା ପାଇବା ପାଇଁ ଗଣ ଆବେଦନ ହେଲା । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରକ୍ଷା କରାଗଲା । ୟୁନିସେଫ୍‌, ଜିଲ୍ଲା ଜଳ ଓ ପରିମଳ ସମିତି, ସ୍ଥାନୀୟ ବିଡିଓ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଲେ । ତିନି ମାସ ସମୟ ମଧ୍ୟରେ ଗାଁର ସମସ୍ତ ୭୩ ପରିବାରରେ ଶୌଚାଳୟ ନିର୍ମାଣ ସମ୍ଭବପର ହୋଇ ପାରିଲା । ରାସ୍ତା କଡରେ ସାଇନ୍‌ ବୋର୍ଡ ଲଗାଯାଇ ଖୋଲାରେ ଶୌଚ ହେଉଥିବା ଲୋକଙ୍କୁ ତାଗିଦ୍‌ କରାଗଲା । ୧୫୧ ଟଙ୍କା ଜରିମାନା ଆଦାୟ ଚେତାବନୀ ଦିଆଗଲା । ଯାହା ଫଳରେ ଏବେ କନ୍ଦି ଗାଁ ହୋଇପାରିଛି ନିର୍ମଳ ।
 
ସ୍ୱଚ୍ଛ ନିର୍ମଳ ଗାଁ ପାଇଁ ମିଳିଛି ସ୍ୱୀକୃତି । ଜଳ ଓ ପରିମଳ ପାଇଁ ଦିନେ ଯେଉଁ କନ୍ଦି ଗାଁ କୁଖ୍ୟାତି ଅର୍ଜିଥିଲା, ଆଜି ସେହି ଗାଁ ପରିବର୍ତ୍ତନ ହୋଇ ଆଖପାଖ ଗାଁଗୁଡିକ ପାଇଁ ଉଦାହରଣ ହୋଇପାରିଛି ।  
 
  • Tags:

Subscribe

National International State Sports Entertainment