ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନ ପୋଲିସକୁ ଏକ ଲୁଟ୍ ମାମଲାରେ ବଡ଼ ସଫଳତା ମିଳିଛି । ଆଳୁ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ଘଟଣାରେ ୬ ଜଣଙ୍କୁ ବାନ୍ଧିଛି ପୋଲିସ । ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୫୫ ହଜାର ଟଙ୍କା ଏବଂ ୬ଟି ମୋବାଇଲ୍ ସହ ବାଇକ୍ ଜବତ କରାଯାଇଛି । ଏ ନେଇ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।
ପୋଲିସର ସୂଚନା ମୁତବକ, ଗତ ୧୬ ଡିସେମ୍ବର ଅପରାହ୍ନ ୨ଟା ୧୫ ମିନିଟ୍ ସମୟରେ ଆଳୁ ବ୍ୟବସାୟୀ ବିଶ୍ୱରଞ୍ଜନ ସାହୁ ଟଙ୍କା ଆଦାୟ କରିବାକୁ ଯାଉଥିଲେ । ଏହି ସମୟରେ ୩ଟା ବାଇକରେ ୬ ଜଣ ଲୁଟେରା ତାଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ଆଳୁ ବ୍ୟବସାୟୀଙ୍କଠାରୁ ୯ ଲକ୍ଷ ୬୦ ହଜାର ଟଙ୍କା ଛଡ଼ାଇ ନେଇଫେରାର ହୋଇଯାଇଥିଲେ । ଏ ନେଇ ସେ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରଥମେ ଜଣଙ୍କୁ ବାନ୍ଧିଥିଲା । ତାହାର ବୟାନ ଆଧାରରେ ଆଉ ୫ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ ।
ସେମାନଙ୍କ ନିକଟରୁ ନଗଦ ୧.୫୫ ଲକ୍ଷ ଟଙ୍କା, ୬ଟି ମୋବାଇଲ୍ , ବାଇକ୍ ଏବଂ ଆକ୍ରମଣରେ ବ୍ୟବହୃତ ହୋଇଥିଲା ତେଲେଙ୍ଗା ଖଣ୍ଡା ଜବତ କରାଯାଇଛି । ଏହି ଲୁଟେରାମାନେ ପେଷାଗତଭାବେ ଲୁଟ୍ କରନ୍ତି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଛିନତାଇ, ଘରେ ପଶି ଲୁଟ କରିବା ଭଳି ୧୮ଟିରୁ ଅଧିକ ଅପରାଧିକ ମାମଲା ରହିଛି । ସେମାନେ ଅନେକ ଥର ଗିରଫ ଜେଲ ଯାଇ ଜାମିନରେ ଆସିଛନ୍ତି । ତେଣୁ ଏଥର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।