କଟକ: ପ୍ରେମ କରି ବିବାହ କଲେ । କିନ୍ତୁ ଶେଷର ସେହି ପ୍ରେମକୁ ଖିନଭିନ କରି ମାରିଛି ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ନିଜର ବେକ ମଧ୍ୟ କାଟିଦେଇଛି । କଟକ ଲାଲବାଗ ଥାନା ଅଧିନ ସିଦ୍ଧେଶ୍ଵରସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ଜଣକ ହେଲେ ସାଇବର ଥାନା କନଷ୍ଟେବଳ ବିଷ୍ଣୁପ୍ରିୟା ମଲ୍ଲିକ । ସ୍ୱାମୀ ବିଶ୍ୱଜିତ ମଲ୍ଲିକ ଗୁରୁତର ଅଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେହିପରି ତାଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇଥିବା ପଡ଼ୋଶୀ ମଧ୍ୟ ଆହତ ହୋଇଛନ୍ତି । ଏ ନେଇ ଲାଲବାଗ ଥାନା ପୋଲିସ ସୂଚନା ଦେଇଛି ।
ପୋଲିସର ପ୍ରାଥମିକ ସୂଚନା ମୁତାବକ,୨୦୧୯ରେ କଟକ ନିଶ୍ଚିତକୋଇଲି ଅଞ୍ଚଳର ବିଶ୍ୱଜିତ ମଲ୍ଲିକ ଏବଂ ବିଷ୍ଣୁପ୍ରିୟା ମଲ୍ଲିକଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ବିଷ୍ଣୁପ୍ରିୟା ଲାଲବାଗ ସାଇବର ଥାନାରେ କନଷ୍ଟେବଳ ଥିବାବେଳେ ସ୍ୱାମୀ ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କର ଗୋଟାଏ ପିଲା ମଧ୍ୟ ଅଛି । ଦମ୍ପତି କଟକ ସିଦ୍ଧେଶ୍ୱରସାହିରେ ସାଢ଼େ ୩ ବର୍ଷ ହେବ ଆଲୋକ ସେଠୀଙ୍କ ଘରେ ଭଡ଼ାରେ ରହୁଥିଲେ । ତେବେ ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା ।
ଆଜି ଅପରାହ୍ନ୨ଟା ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ବିଶ୍ୱଜିତ ତାଙ୍କ ସ୍ତ୍ରୀଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ସେ ଚିତ୍କାର କରିବାରୁ ପଡ଼ୋଶୀ ଧାଇଁ ଆସିଥିଲେ । ମାତ୍ର ବିଶ୍ୱଜିତ ତୁରନ୍ତ ଗୋଟେ କୋଠରୀରେ କବାଟ ବନ୍ଦ କରି ପଶିଯାଇଥିଲେ । ଏ ନେଇ ପଡ଼ୋଶୀ ଲାଲବାଗ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଚି ସ୍ତ୍ରୀକୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ସେହିପରି କବାଟ ଭାଙ୍ଗି ସ୍ୱାମୀକୁ ଦେଖିବାବେଳକୁ ସେ ନିଜର ବେକ କାଟି ଦେଇଥିବା ଜଣାପଡ଼ିଥିଲା । ତାଙ୍କ ତୁରନ୍ତ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ସେ ଏବେ ଏସସିବିରେ ଚିକିସ୍ଚାଧୀନ ଅଛନ୍ତି । ସେପଟେ ପଡ଼ୋଶୀଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ମଧ୍ୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ଘଟଣା ସ୍ଥଳରୁ ଏକ ଛୁରୀ ଜବତ କରିଛି । ମହିଳାଙ୍କର ମୃତ ଦେହକୁ ମଧ୍ୟ ଜବତ କରାଯାଇଛି । ପୋଲିସ ଘଟଣା ସମ୍ପର୍କରେ ଅନ୍ୟ ପଡ଼ୋଶୀଙ୍କ ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି ।