କଟକ: ୭ ବର୍ଷ ପରେ ବହୁ ଚର୍ଚ୍ଚିତ ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜାନକୀ ବଲ୍ଲଭ ପାଢ଼ୀଙ୍କ ଆତ୍ମହତ୍ୟା ଘଟଣାର ହେବ ତଦନ୍ତ । କାରଣ ମାମଲରେ ପୁନଃ ଏତଲା ଦେବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ ।
ସୁଇସାଇଡ୍ ନୋଟରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କ ସଂପର୍କରେ ସଠିକ ଭାବେ ତଦନ୍ତ କରାଯାଇ ନାହିଁ ବୋଲି ହାଇକୋର୍ଟ ହୃଦୟଙ୍ଗମ କରି ଆଉ ଥରେ ଏତଲା ଦେବାକୁ ଅନୁମତି ପ୍ରଦାନ କରିଛନ୍ତି ।
ସ୍ଵର୍ଗତ ଜେ.ବି ପାଢ଼ୀଙ୍କ ଛାଡ଼ି ଯାଇଥିବା ସୁଇସାଇଡ୍ ନୋଟ୍ରେ ୩୦ଜଣଙ୍କ ନାଁ ଲେଖି ସେମାନେ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ଉଲ୍ଲେଖ କରିଥିଲେ । ତଦନ୍ତରେ ଅବହେଳା ଦର୍ଶାଇ ତାଙ୍କ ସ୍ତ୍ରୀ କବିତା ମହାପାତ୍ର ଗତ ବର୍ଷ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବଡ଼ଗଡ଼ ଥାନା ୟୁ.ଡି.ଜି.ଆର. କେସ୍ ନଂ ୩୦୯/୨୦୧୭ ର ତଦନ୍ତ ୩ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନ ନେବାରୁ କବିତା ପୁଣି ଥରେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ।
ପୋଲିସ ଜବତ କରିଥିବା ସୁଇସାଇଡ୍ ନୋଟରେ ଜେ.ବି ପାଢ଼ୀଙ୍କ ସହ ଅର୍ଥ କାରବାର କରୁଥିବା ୩୦ ଜଣଙ୍କ ନାମ ରହିଛି । କିନ୍ତୁ ସେହି ସନ୍ଦିଗ୍ଧମାନଙ୍କ ବିରୋଧରେ ତଦନ୍ତ ଶେଷ ହୋଇ ନାହିଁ ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ । ସ୍ୱର୍ଗତ ଜେ.ବି ପାଢ଼ୀଙ୍କ ପତ୍ନୀ ନୂଆ ତଥ୍ୟ ସହ ଏ ସମ୍ପର୍କରେ ଏତଲା ଦେଇଥିଲେ । ଏହାକୁ ପଞ୍ଜୀକୃତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ, ୨୦୧୭ ମସିହା ଏପ୍ରିଲ ୬ ତାରିଖରେ ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜେ.ବି ପାଢ଼ୀ ଆତ୍ମହତ୍ୟା କରିଥିଲେ । ତାଙ୍କର ଝୁଲନ୍ତା ମୃତଦେହ ଭୁବନେଶ୍ୱର ବଡ଼ଗଡ଼ ଥାନା ବ୍ରହ୍ମେଶ୍ୱରପାଟଣା ବସନ୍ତବିହାରସ୍ଥିତ ବାସଭବନରୁ ମିଳିଥିଲା । ପୋଲିସ ୧୦ ଫର୍ଦ୍ଦ ବିଶିଷ୍ଟ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା । ଯେଉଁଥିରେ ୩୦ଜଣଙ୍କ ନାଁ ଉଲ୍ଲେଖ କରାଯାଇଥିଲା ।