ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ(ବିଜେଡି) ୨୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ପ୍ରଥମ ଥର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରତିଷ୍ଠା ଦିବସରେ ସରକାରୀସ୍ତରରେ କୌଣସି ପଦ ପଦବୀରେ ନାହାନ୍ତି କି ତାଙ୍କ ଦଳ ମଧ୍ୟ ଶାସନରେ ନାହିଁ। ପ୍ରତିଷ୍ଠା ଦିବସ ଉପଲକ୍ଷେ ନବୀନ ଭିଡିଓ ବାର୍ତ୍ତା ଜାରି କରି ବିଜେଡି କାହିଁକି ୨୦୨୪ ସାଧାରଣ ନିର୍ବାଚନ ହାରିଲା ତାର କାରଣ କହିବା ସହ ବିଜେପିକୁ ସମାଲୋଚନା କରିଛନ୍ତି। ଏଥିସହ କହିଛନ୍ତି ଜନତା ଏବେ ତାଙ୍କ ସହ ଅଛନ୍ତି।
ନବୀନ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏବେ ବି ଆମେ ହାରିନାହୁଁ। ଲୋକଙ୍କ ବିଶ୍ଵାସ ମଧ୍ୟ ହରାଇନାହୁଁ। ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛର କାଉଣ୍ଟର କରି ପାରିଲୁ ନାହିଁ।୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଆଜିର ଦିନରେ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ବିଜୁ ବାବୁଙ୍କ ପ୍ରେରଣା ଓ ଆଦର୍ଶକୁ ସାଥୀରେ ଧରି ବିଜୁ ପ୍ରେମୀ ମାନେ ଏକତ୍ର ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ। ସତେବେଳେ ବହୁ ଲୋକ କହିଥିଲେ, ଏହି ଦଳ ବଞ୍ଚବ ନାହିଁ। କିଛି ଲୋକ କହିଥିଲେ ଆଗକୁ ବଢି ପାରିବ ନାହିଁ। ଏ ଦଳ କେବେ ସଫଳ ହେବ ନାହିଁ। ଆ ମୋତେ କହିଥିଲେ ମୁଁ ରାଜନୀତ ଜାଣେ ନାହିଁ। କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଆପଣମାନଙ୍କ ସେବା କରିବାର ସୁଯୋଗପାଇଛି। ମୁଁ ମଧ୍ୟ ଆପଣଙ୍କ ସେବା କରିବା ପାଇଁ ସୌଭାଗ୍ୟ ପାଇଛି।
ନବୀନ କହିଛନ୍ତି, ଗତ ୨୪ ବର୍ଷ ବିତରେ ବିଜେଡି ସରକାର ସାରା ଦୁନିଆରେ ଓଡ଼ିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇ ପାରିଛି। ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି। ଓଡ଼ିଶାରେ ଗରିବି କମିଛି।ମୁଣ୍ଡପିଛା ଆୟ ବଢିଛି। ବିପର୍ଯ୍ୟୟ ପରିଚାଳନାରେ ମଡେଲ ରାଜ୍ୟ ହୋଇ ପାରିଛି।ନିବେଶ ବଢିଛି। ମହିଳା ସଶକ୍ତିକରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି । ଓଡ଼ିଶା ସ୍ପୋର୍ଟସ କ୍ୟାପିଟାଲର ପରିଚୟ ପାଇପାରିଛି । ଓଡ଼ିଶାବାସୀଙ୍କ ଭଲପାଇବା ଓ କର୍ମୀମାନଙ୍କ ପରିଶ୍ରମ ଯୋଗୁଁ ବିଜେଡି ଆଜି ଏକ ମଜଭୁତ ଆଞ୍ଚଳିକ ଦଳ ଭାବେ ପ୍ରତିଷ୍ଠା ପାଇଛି ।
ମୁଁ ଜାଣିଛି ବହୁତ ଲୋକଙ୍କ ର ପ୍ରଶ୍ନ ଅଛି ଗତ ନନିର୍ବାଚନରେ ଆମେ କେମିତି ହାରିଲୁ। ମୁଁ ତାର ଉତ୍ତର ଦେଇ କହିଛୁ ଆମେ ହାରିନାହୁଁ। ଲୋକଙ୍କ ବିଶ୍ଵାସ ହରାଇନାହୁଁ। ବିଜେପି ମିଛ କହି, ମିଥ୍ୟା ପ୍ରତିଶ୍ରୁତି ଦେଇ ଏବଂ ଲୋକଙ୍କୁ ଭୂଆଁ ବୁଲାଇ କ୍ଷମତାକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମଠୁ କମ୍ ଭୋଟ ପାଇଛି। ଆମର ଭୁଲ୍ ହେଲା ଆମେ ବିଜେପି ମିଛର କାଉଣ୍ଟର କରିପାରିଲୁ ନାହିଁ। ସୋସିଆଲ ମିଡିଆରେ ବିଜେପିର ମିଛ ପ୍ରଚାରକୁ ଆମେ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ଆଜି ଓଡ଼ିଶାବାସୀ ଜାଣିଲେଣି ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି । ମୋର କର୍ମୀ ଭାଇ ଭଉଣୀମାନଙ୍କୁ ଅନୁରୋଧ ଆପଣମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ବିଜେପିର ମିଛକୁ ପଦାକୁ ଆଣନ୍ତୁ।
ବର୍ତ୍ତମାନର ସରକାର ଲୋକଙ୍କୁ ବଡ଼ ଉପହାର ଦେଇଛନ୍ତି । ତାହା ହେଉଛି ଦରଦାମ୍ ବୃଦ୍ଧି । ଡାଲି, ଚାଉଳଠୁ ଆରମ୍ବ କରି ତେଲ ଓ ପନିପରିବା ସବୁ ଆଜି ଆକାଶ ଛୁଆଁ । ପ୍ରତି ପରିବାର ଆଜି କାନ୍ଦୁଛି। ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମାଆମାନେ ଦୁଃଖରେ ଅଛନ୍ତି। କିନ୍ତୁ ଏ ସରକାରର କୁମ୍ଭ କର୍ଣ୍ଣ ନିଦ କେବେ ଭାଙ୍ଗିବ। ୧୯୯୭ରେ ଏ ଦଳ ଗଠନ ବେଳେ କିଛି ଲୋକ କହିଥିଲେ ଯେ ଏହି ଦଳର କିଛି ଭବିଷ୍ୟତ ନାହିଁ।ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ, ଏହି ଦଳର କିଛି ଭବିଷ୍ୟତ ନାହିଁ। ମୁଁ କହିବାକୁ ଚାହୁଁଛି ଯେ ଏବେ ବି ବିଜେଡି ଦଳର ଭବିଷ୍ୟତ ଉଜ୍ଜ୍ଵଳ ରହିଛି ବୋଲି ନବୀନ କହିଛନ୍ତି।