ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ବିଜେପି ଉପରେ ଖୁବ୍ ବର୍ଷିଛନ୍ତି । ଦିଲ୍ଲୀ ସରକାରଙ୍କ ଯୋଜନାକୁ ବିଜେପି ବାଧା ଦେବାକୁ ଚେଷ୍ଟା କରୁଥିବା କେଜରିୱାଲ ଅଭିଯୋଗ କରିଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ% ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ ମିଥ୍ୟା କେସରେ ଗିରଫ କରାଯାଇପାରେ । ଏହି ସମୟରେ ସାମ୍ବାଦିକ ସମ୍ମିଳନୀରେ ଆତିଶି ଉପସ୍ଥିତ ଥିଲେ ।
ଅରବିନ୍ଦ କେଜରିୱାଲ କହିଛନ୍ତି, ବିଜେପି ପାଖରେ ନା କିଛି ପ୍ରସଙ୍ଗ ଅଛି ନା ସେମାନେ କେନ୍ଦ୍ରରେ କିଛି କରିଛନ୍ତି । ବିଜେପି ନେତା ଏହା କହି ପାରୁ ନାହାନ୍ତି ଯେ, ସେମାନଙ୍କୁ ଭୋଟ୍ ଦେଲେ ସେମାନେ ଜନତାଙ୍କ ପାଇଁ କଣ କରିବେ । କେବଳ କେଜରିୱାଲଙ୍କୁ ଦବାଇ ପାଇଁ ଲାଗି ପଡିଛନ୍ତି । ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ଚେହେରା ନାହିଁ । କୌଣସି ଏଜେଣ୍ଡା ବି ନାହିଁ । ସେମାନଙ୍କ ନିକଟରେ ପ୍ରାର୍ଥୀ ବି ନାହିଁ । ଆମ୍ ଆଦମୀ ପାର୍ଟି କ୍ୟାମ୍ପେନିଂ କରୁଛି । ଆମେ ସ୍କୁଲ, ହସ୍ପିଟାଲ, ବିଜୁଳି, ପାଣି, ବସ୍ ଯାତ୍ରା, ତୀର୍ଥ ଯାତ୍ରା ଉପରେ କାମ କରୁଛୁ । ଏଥିପାଇଁ ଆମେ ଜନତାଙ୍କୁ ଭୋଟ୍ ଦେବାକୁ ଅପିଲ୍ କରୁଛୁ ।
କେଜରିୱାଲ କହିଛନ୍ତି, ଆମେ ଦୁଇଟି ଯୋଜନା ଘୋଷଣା କରିଛୁ । ମହିଳା ସମ୍ମାନ ଯୋଜନା ଓ ସଞ୍ଜିବନୀ ଯୋଜନା । ନିର୍ବାଚନ ଜିତିଲେ ଦିଲ୍ଲୀରେ ଏହି ଦୁଇ ଯୋଜନା ଲାଗୁ କରିବୁ । ସୂତ୍ର ମୁତାବକ ନିକଟରେ ଇଡି, ସିବିଆଇ ଓ ଆଇଟିର ବୈଠକ ହୋଇଛି । ଆଉ ଶୀଘ୍ର ଆମ୍ଭ ମାନଙ୍କ ଉପରେ ରେଡ୍ ହୋଇପାରେ । ଆମକୁ ଏହି ସୂଚନା ମିଳିଛି ଯେ, ପରିବହନ ବିଭାଗରେ ଆତିଶିଙ୍କ ବିରୋଧରେ ଏକ ମିଥ୍ୟା କେସ ପ୍ରସ୍ତୁତ କରାଯାଉଛି । ଏହି କେସରେ ତାଙ୍କୁ ଗିରଫ କରାଯାଇପାରେ । ଆମକୁ ନିର୍ବାଚନରେ ରୋକିବାକୁ ଉଦ୍ୟମ କରାଯାଉଛି ।