ଚେନ୍ନାଇ: ଯେ ପର୍ଯ୍ୟନ୍ତ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ତାଙ୍କ ପାର୍ଟି ଡିଏମକେ କ୍ଷମତାରୁ ବିତାଡ଼ିତ ନ ହୋଇଛି ସେ ପର୍ଯ୍ୟନ୍ତ ଜୋତା-ଚପଲ ପିନ୍ଧିବି ନାହିଁ।ଗୁରୁବାର ଏମିତି ଘୋଷଣା କରିଛନ୍ତି ତାମିଲନାଡୁ ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ। ଗୁରୁବାର କୋଏମ୍ବାଟୁରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କ ଗହଣରେ ପାଦରୁ ଚପଲ ଖୋଲି ସେ ଏହି ଘୋଷଣା କରିଛନ୍ତି। ଆନ୍ନା ୟୁନିଭର୍ସିଟିର ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ଆସନ୍ତାକାଲିଠୁ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆନ୍ନାମଲାଇ କହିଛନ୍ତି।
ବିଜେପି ରାଜ୍ୟ ସଭାପତି କହିଛନ୍ତି, ଆସନ୍ତାକାଲିଠୁ ମୁଁ ନିଜ ଘର ସାମ୍ନାରେ ଧାରଣାରେ ବସିବି। ଏହା ସହିତ କାଲିଠୁ ୪୮ ଦିନ ପର୍ଯ୍ୟନ୍ତ ଉପବାସ କରିବି। କେବଳ ଏତିକି ନୁହେଂ ବିଜେପିର ପ୍ରତିଟି ସଦସ୍ୟ ନିଜ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିବେ। ଯେ ପର୍ଯ୍ୟନ୍ତ ଡିଏମକେ କ୍ଷମତାରୁ ନ ବାହାରିଛି ସେ ପର୍ଯ୍ୟନ୍ତ ଚପଲ-ଜୋତା ପିନ୍ଧିବି ନାହିଁ। ଏହି ଦଳର ଏବେ ଅନ୍ତ ଘଟିବା ଉଚିତ ବୋଲି ଆନ୍ନା ମଲାଇ କହିଛନ୍ତି।
ଡିଏମକେ ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉତ୍ତର-ଦକ୍ଷିଣ ରାଜନୀତି କରୁଛନ୍ତି। ଯେଉଁ ଲୋକେ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ ବାଣ୍ଟିବା କାମ କରନ୍ତି, ମୁଁ ଏମିତି ରାଜନୀତି ଉପରେ ଛେପ ପକାଇବାକୁ ଚାହେଁ। ଆନ୍ନାମଲାଇଙ୍କ ଏମିତି ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଡିଏମକେ ସରକାର ଓ ପୋଲିସ ପ୍ରଶାସନ ଏହା ଉପରେ କଣ ଆଭିମୁଖ୍ୟ ଆପଣେଉଛନ୍ତି ତାହା ଦେଖିବା ବାକି ରହିଲା।