ଚେନ୍ନାଇ: ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ତାମିଲନାଡୁ ବିଜେପି ରାଜ୍ୟ ସଭାପତିଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ନିଜୁକ ନିଜେ ନିସ୍ତୁକ ପିଟି ଚାଲିଛନ୍ତି ତାମିଲନାଡୁ ରାଜ୍ୟ ବିଜେପି ସଭାପତି କେ. ଆନ୍ନାମଲାଇ । ଡିଏମକେ ସରକାରର ଚରମ ଅବହେଳାକୁ ବିରୋଧ କରି ଆନ୍ନାମଲାଇ ନିଜୁକୁ ନିଜେ ଶାସ୍ତି ଦେଇଛନ୍ତି ।
ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଦୁଷ୍କର୍ମକୁ ନେଇ ରାଜନୀତି ଜୋର ଧରିଛି । ଛାତ୍ରୀଙ୍କ ସମସ୍ତ ପରିଚୟ ସାର୍ବଜନୀନ ହେବା ନେଇ କ୍ଷୋଭ ପ୍ରକାଶ କରିଛି ରାଜ୍ୟ ବିଜେପି । ଶୁକ୍ରବାର ବିଜେପି ସଭାପତି ଆନ୍ନାମଲାଇ କୋଏମ୍ବାଟୁରରେ ଥିବା ନିଜ ବାସଭବନ ଆଗରେ ଏକ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି । ସେ ନିଜେ ନିଜକୁ ଶାସ୍ତି ଦେଇଛନ୍ତି । ଏକ ରଶି ସାହାଯ୍ୟରେ ନିଜକୁ ପିଟିଛନ୍ତି । ଏହା ସହିତ ଯେ ପର୍ଯ୍ୟନ୍ତ ଡିଏମକେ ସରକାର ନ ହଟିଛି ସେ ଚପଲ ପିନ୍ଧିବେ ନାହିଁ ବୋଲି ଶପଥ ନେଇଛନ୍ତି ।
ଆନ୍ନା ବିଶ୍ୱବିଦ୍ୟାଳୟରେ ସିସିଟିଭି ନ ରହିବା ଏବଂ ଏତେ ସୁରକ୍ଷା ଓ କଟକଣା ସତ୍ୱେ ଛାତ୍ରୀଙ୍କ ପରିଚୟ ସାର୍ବଜନୀନ ହେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି । ସେହିପରି ଏଫ୍ଆଇଆର୍ କପି ଲିକ୍ ହେବା ଦ୍ୱାରା ପୀଡ଼ିତା ଛାତ୍ରୀଙ୍କର ସମ୍ମାନ ହାନି କରିଛି । ଏହାରି ମଧ୍ୟରେ ରାଜ୍ୟ ଆଇନ ମନ୍ତ୍ରୀ ଏସ୍ ରେଗୁପଥି ସରକାରଙ୍କ ସପକ୍ଷରେ କହିବା ମଧ୍ୟ ନିନ୍ଦନୀୟ ।
ସେହିପରି ସେ ଚେନ୍ନାଇ ପୋଲିସ କମିଶନରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପୋଲିସ କମିଶନରଙ୍କ ପଦରୁ ବହିଷ୍କାର କରିବାକୁ ଆନ୍ନାମଲାଇ ଦାବି କରିଛନ୍ତି । ଏହା ସହିତ 48 ଦିନ ପର୍ଯ୍ୟନ୍ତ ଅନଶନ କରିବା ସହିତ ସରକାରଙ୍କ ବିରୋଧରେ ଗୁହାରୀ କରିବାକୁ ଅରୁପଡ଼ାଇ ଭିଡୁ (ଭଗବାନ ମୁରୁଗା)ଙ୍କ ଦର୍ଶନ କରିବାକୁ ଯିବେ ।
ଏଭଳି ଏକ ହୀନ ରାଜନୀତିରେ ଆଉ କିଛି ଆଲୋଚନା କରିବାକୁ ନାହିଁ । ମହିଳାଙ୍କ ସୁରକ୍ଷାକୁ ନେଇ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ବିଜେପି ସଭାପତି ।