ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବୁଧବାର ରାଷ୍ଟ୍ରୀୟ ଗଣତାନ୍ତ୍ରିକ(ଏନଡିଏ)ର ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରଖିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜିତ କରାଯାଇଛି। ବୈଠକରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜରାପୁ ସହିତ ଅନେକ ବଡ଼ ନେତା ଉପସ୍ଥିତ ଥିଲେ।
ବୈଠକରେ ଅମିତ ଶାହ କହିଛନ୍ତି ଯେ, କଂଗ୍ରେସ ଦ୍ଵାରା ଉଠାଯାଇଥିବା ଆମ୍ବେଦକର ଓ ଅନ୍ୟ ପ୍ରସଙ୍ଗରେ ପଡ଼ିବା ଅପେକ୍ଷା ସକରାତ୍ମକ କାମ ଓ ସରକାରଙ୍କ ନୀତି ତୃଣମୂଳସ୍ତରରେ କେମିତି କାର୍ଯ୍ୟକାରୀ ହେବ ତା ଉପରେ ଧ୍ୟାନ ଦେବା ଉଚିତ୍। ସମ୍ବିଧାନକୁ ଲାଗୁ କରିବାରେ କଂଗ୍ରେସ କେଉଁଠି କେଉଁଠି ଭୁଲ୍ କରିଛି ତା ଉପରେ ଆଲୋକପାତ କରିଥିଲେ ଅମିତ ଶାହ।
ଏଥିସହ ବୈଠକରେ କଂଗ୍ରେସ ପାର୍ଟି ଦ୍ଵାରା ଉଠାଯାଇଥିବା ସମ୍ବିଧାନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହା ସହିତ ଏନଡିଏରେ ପାର୍ଟି ମଧ୍ୟରେ ଉତ୍ତମ ତାଳମେଳ ଉପରେ ଆଲୋଚନା ହୋଇଛି। ଏଥିସହ ଦିଲ୍ଲୀ ବିଧାନସଭା ନିର୍ବାଚନ, ବିଜେପିର ସାଂଗଠନିକ ନିର୍ବାଚନ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସଂସଦୀୟ ବୋର୍ଡର ସଦସ୍ୟ ଭାବେ ଲକ୍ଷ୍ମଣଙ୍କୁ ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
ଏହି ବୈଠକ ପୂର୍ବରୁ ମଙ୍ଗଳବାର ଜେଡିୟୁର ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଘୋଷଣା କରିଥିଲେ ଯେ, ୨୦୨୫ ବିହାର ବିଧାସନଭା ନିର୍ବାଚନ ଏନଡିଏ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ଵରେ ଲଢାଯିବ। ବିହାରରେ ଏନଡିଏରେ ବିଜେପି ସହିତ ଜେଡିୟୁ, ଏଲଜେପି, ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚା ପରି ଦଳ ସାମିଲ। ଏନଡିଏ ବିହାର ଲୋକସଭା ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିଲା। ମେଣ୍ଟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ନୀତିଶ କୁମାର ଆଗାମୀ ନିର୍ବାଚନରେ ମେଣ୍ଟର ଚେହେରା ହେବେ।