କଟକ: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ଶେଷ କରିବାକୁ କହିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି କହିଛନ୍ତି ହାଇକୋର୍ଟ ।
ବୁଧବାର ହାଇକୋର୍ଟ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ରତି । ଆଜି ଏହି ମାମଲାରେ ଶୁଣାଣୀର ଅନ୍ତ ଘଟିଛି । ଏହି ପରିପ୍ରେକ୍ଷୀରେ କୋର୍ଟ ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେ ନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡାକଡି ପାଳନ କରିବାକୁ କହିଛନ୍ତି । ସମସ୍ତ ପୁଲିସ କର୍ମଚାରୀଙ୍କୁ SOP ବାବଦରେ ଜଣାଇବା ପାଇଁ ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡିରେ ଓଡ଼ିଆ ଭାଷାରେ SOPକୁ ବ୍ୟାପକଭାବେ ପ୍ରଚାର କରିବାକୁ ହାଇକୋର୍ଟ କଡ଼ା ଆଦେଶ ଦେଇଛନ୍ତି । ପୁଲିସ ଏଡିଜି ଦୟାଲ ଗଙ୍ଗୱାର ଦାଖଲ କରିଥିବା ସତ୍ୟପାଠକୁ ସରକାର ଓ ପୁଲିସ ମୁଖ୍ୟାଳୟ କଡାକଡି ଭାବେ ପାଳନ କରିବେ ବୋଲି ଆଶା ବ୍ୟକ୍ତ କରି ନିଜ ଆଡୁ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସେପ୍ଟେମ୍ବର ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ କିଛି ରୋଡ୍ ରୋମିଓ ହଇରାଣ କରିଥିଲେ । ଏ ନେଇ ଭରତପୁର ଥାନାରେ ଅଭିଯୋଗ ପାଇଁ ଯାଇଥିବାବେଳେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛିନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ।
ତେବେ ଏହି ସମୟରେ ଗୃହ ବିଭାଗର ଏକ ତ୍ରୁଟି ସାମ୍ନାକୁ ଆସିଥିଲା । ଭରତପୁର ଏକ ଆଦର୍ଶ ଥାନା ହୋଇଥିବାବେଳେ ସେଠାରେ ଗୋଟିଏ ବି ସିସିଟିଭି ନ ଲଗାଯିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ମାମଲାର ଶୁଣାଣିବେଳେ କେଉଁ ଥାନାରେ ସିସିଟିଭି ଲାଗିଛି ଓ କେଉଁ ଥାନାରେ ସିସିଟିଭି ଲାଗିନାହିଁ ସମସ୍ତ ତଥ୍ୟ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସମସ୍ତ ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ତୁରନ୍ତ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।