ପୁରୀ: ଓଡ଼ିଶାବାସୀଙ୍କ ସହିତ ବିତାଇଥିବା ସମୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ମହାପ୍ରଭୁ ଜଗନ୍ନାଥ ଧାମର ପବିତ୍ର ଓଡ଼ିଶା ମାଟିରେ ଯେଉଁ 14 ମାସ କାମ କରିବାକୁ ସୁଯୋଗ ମିଳିଛି ସେଥିପାଇଁ ବହୁତ ସୌଭାଗ୍ୟବାନ ମନେ କରୁଛି ବୋଲି କହିଛନ୍ତି ରଘୁବର ଦାସ ।
ବୁଧବାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳ ସମ୍ପର୍କରେ ଅନୁଭୂତି ବାଣ୍ଟିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସହିତ ସୁଖଦ ଅନୁଭବ ସର୍ବଦା ମନେ ରହିବ । ଓଡ଼ିଶାବାସୀ ପାଇଁ କାମ କରିବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମଣିଛନ୍ତି । ଓଡ଼ିଶା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରାଚୀନ ସମୁଦ୍ର ତଟରେ ଭରପୂର ତା ନୁହେଁ, ଏହା ସହିତ ଭବ୍ୟ ମନ୍ଦିର ମଧ୍ୟ ରହିଛି । ଏହା ସହିତ ସଂସ୍କୃତିରେ ମଧ୍ୟ ପରିପୂର୍ଣ୍ଣ । ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଇଛନ୍ତି ।
ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଯେଉଁଭଳି କାମ କରୁଛି, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ୨୦୩୬ ବେଳକୁ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହେବ ଏବଂ କେହି ଗରିବ ରହିବେ ନାହିଁ ।
ସେହିପରି ସେ ନିଜର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ଗୋଟେ ଚାଷୀ ପରିବାରରୁ ଆସିଛି । ତେଣୁ ଦଳ ଯାହା ଦାୟିତ୍ୱ ଦେବ ତାକୁ ପୁରା ସଚ୍ଚୋଟତାର ସହିତ କରିବେ ବୋଲି କହିଛନ୍ତି ରଘୁବର ଦାସ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୧୮, ୨୦୨୩ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଦାୟିତ୍ଵ ଗ୍ରହଣ କରିଥିଲେ । ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଗ୍ରହଣ କରି କମ୍ଭମପତି ହରି ବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦେଇଛନ୍ତି ।