ଗଜପତି: ଦୁଇ ଦିନ ହେବ ନିଖୋଜ ଥିବା ବ୍ୟକ୍ତିଙ୍କର ମିଳିଛି ମୃତ ଦେହ । ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନୂଆକାମ୍ଫ ସାହିର କୃଷ୍ଣଚନ୍ଦ୍ର ପଣ୍ଡା (୬୦)ଙ୍କର ଶୁକ୍ରବାର ମୃତ ଦେହ ମିଳିଛି । ପୋଲିସ ମୃତ ଦେହକୁ ଜବତ କରିଥିବାବେଲେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
କୃଷ୍ଣଚନ୍ଦ୍ର ପଣ୍ଡା ଗତ ଦୁଇଦିନ ଧରି ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ପାରଳାଖେମୁଣ୍ଡି ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ପାରଳାଖେମୁଣ୍ଡିର ପାଞ୍ଚ ନଂ ୱାର୍ଡ ଅଧିନରେ ଥିବା ସୀତାସାଗରରୁ ଗଛ ମୂଳରେ ଏକ ଅଖା ପଡ଼ିଥିବା ଦେଖିବାକୁ ପାଇଥିଲା । ଉକ୍ତ ଅଖା ଭିତରେ କୃଷ୍ଣ ଚନ୍ଦ୍ରପଣ୍ଡାଙ୍କ ମୃତ ଦେହ ମିଳିଥିବା ଜଣାପଡ଼ିଛି ।
ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ପହଁଚି ଅନୁଧ୍ୟାନ କରିଛି । ପୋଲିସ ମୃତ ଦେହକୁ ଉଦ୍ଧାର ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । କୃଷ୍ଣଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ କେସ୍ ନଂ- ୪୦୫ରେ ଏକ ହତ୍ୟା ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ।