ପଶ୍ଚିମାଝଡ ପ୍ରଭାବରେ ଶନିବାର ଓ ରବିବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡିଶାରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ୭ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଏହାସହ ୩୦ ତାରିଖ ପରଠାରୁ ରାଜ୍ୟରେ ବଢିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡିଶା ଓ ପରେ ଉପକୂଳ ଓଡିଶାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ। ଅର୍ଥାତ୍ ନୂଆବର୍ଷ ବେଳକୁ ପ୍ରବଳ ଶୀତ ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଶନିବାର ଘନ କୁହୁଡ଼ି ନେଇ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।