ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ମାତିଛନ୍ତି ବାଲି ମାଫିଆ । କିଛି ରୋକ୍ ଟୋକ୍ କଲେ ସିଧାସଳକ କରୁଛନ୍ତି ଆକ୍ରମଣ । ସେ ସାଧାରଣ ନାଗରିକ ହୁଅନ୍ତୁ କିମ୍ବା ପୋଲିସ ଅଧିକାରୀ । କାହାକୁ ବି ଛାଡ଼ୁ ନାହାଁନ୍ତି ବାଲି ମାଫିଆ । ଆଜି ପୁଣି ଜଣେ ଯୁବକଙ୍କୁ ବାଲି ମାଫିଆ ପ୍ରାଣାତ୍ମକ ଆକ୍ରମଣ କରିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଗୁରୁତର ଯୁବକଙ୍କୁ କପ୍ତିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ପ୍ରାପ୍ତ ସୂଚନା ମୁତାବକ, ଶୁକ୍ରବାର ରାତିରେ ବାଲି ମାଫିଆମାନେ ବଜରପୁର ବାଲି ଘାଟରୁ ଚୋରା ବାଲି ଚାଲାଣ କରୁଥିଲେ । ଟ୍ରାକ୍ଟର ଗୁଡିକକୁ ଦ୍ରୁତଗତିରେ ଗାଁ ଭିତର ଗଳା ବାଟ ଦେଇ ନେଇକି ଯାଉଥିଲେ । ଗାଁର ମାନସ ସାହୁ ଟ୍ରାକ୍ଟର ଅଟକାଇ ଦ୍ରୁତଗତିରେ ଯିବାକୁ ବାରଣ କରିଥିଲେ । ଯାହାକୁ କେନ୍ଦ୍ର କରି ୪ ରୁ ୫ ମାଫିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପଥରରେ ତାଙ୍କ ମୁଣ୍ଡକୁ ଛେଚି ଲହୁ ଲୁହାଣ କରି ଦେଇଥିଲେ । ମାନସଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସି ତାଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ କପ୍ତିପଦା ଡାକ୍ତରଖାନା ପରେ ବାରିପଦା ମେଡ଼ିକାଲକୁ ନିଆଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍ଗୀନ ରହିଛି । ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଛି ।
ତେବେ କପ୍ତିପଦା ଅଞ୍ଚଳରେ ବାଲି ମାଫିଆଙ୍କ ଏହି ଗୁଣ୍ଡାରାଜ ପ୍ରଥମ ଘଟଣା ନୁହେଁ । ଗତ କିଛି ଦିନ ତଳେ ଡିହସାହି ଗ୍ରାମରେ ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସି ପ୍ରକାଶ ରଥଙ୍କୁ ଆକ୍ରମଣ କରାଯାଇଥିଲା । ଏହା ସହିତ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ଏହି ଘଟଣାରେ କପ୍ତିପଦା ପୋଲିସ 4 ଜଣ ମହିଳାଙ୍କୁ ଗିରଫ କରିଛି ।